ବଡ ନେତାଙ୍କୁ ବଡ ଝଟକା ! ଡେଞ୍ଜର୍ ଜୋନରେ ବିଜେଡିର ପାଂଚ ମନ୍ତ୍ରୀ

30

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେଡି ପୂର୍ବ ନିର୍ବାଚନ ତୁଳନାରେ ୧୭୮ଟି ଜିଲ୍ଲା ପରିଷଦ ସିଟ୍ ହରାଇବା ପରେ ଏବେ ଉଭୟ ସରକାର ଓ ଦଳରେ ପରିବର୍ତନ ଆଣିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଏବେ ଯେଉଁ ମନ୍ତ୍ରୀଙ୍କ ପ୍ରଦର୍ଶନ ଭଲ ନାହିଁ, ସେମାନେ ଡେଂଜର୍ ଜୋନରେ ରହିଥିବା ଚର୍ଚ୍ଚା ହେଉଛି ।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ : କଳାହାଣ୍ଡି ରାଜନୀତିରେ ଫୁସକିଯାଇଛି ପୁଷ୍ପେନ୍ଦ୍ରଙ୍କ ପତିିଆରା ।କଳାହାଣ୍ଡିରେ ବିଜେଡିର ଗଡରକ୍ଷା କରିବାକୁ ଅସମର୍ଥ ହୋଇଛନ୍ତି ମନ୍ତ୍ରୀ । ୩୬ଟି ଜିଲ୍ଲା ପରିଷଦ ଆସନରୁ ମାତ୍ର ଗୋଟିଏ ଆସନ ରଖିବାରେ ବିଜେଡି ସଫଳ ହୋଇଥିବା ବେଳେ ୩୩ଟି ଆସନ ପୋଛି ନେଇଛି ବିଜେପି ।

ଯୋଗେନ୍ଦ୍ର ବେହେରା : ବଲାଙ୍ଗୀରରେ ରଖିପାରିଲେନି ବିଜେଡି ଭୋଟ୍ । ଯୋଗେନ୍ଦ୍ର ନିଜ ନିର୍ବାଚନମଣ୍ଡଳୀର ୭ଟି ଆସନରୁ ମାତ୍ର ଗୋଟିଏରେ ଗଡ଼ ରକ୍ଷା କରିପାରିଛନ୍ତି । ଅନ୍ୟପଟରେ ବଲାଙ୍ଗିରର ୩୩ଟି ଆସନରୁ ୨୩ଟି ସିଟ୍ ହାତେଇନେଇଛି ବିଜେପି ।

ସ୍ନେହାଙ୍ଗିନୀ ଛୁରିଆ : ବରଗଡରେ ମନ୍ତ୍ରୀଙ୍କ ସ୍ଥିତି ଦୋହଲି ଯାଇଛି । ଏଠି ମାତ୍ର ୯ଟି ଆସନରେ ଜିତିଛି ବିଜେଡି । ୨୫ଟି ଆସନରେ ଫୁଟିଛି ପଦ୍ମ । ପଶ୍ଚିମ ଓଡ଼ିଶାରେ ମହାନଦୀ ପ୍ରସଙ୍ଗରେ ବିଜେଡିର କଥାକୁ ଗ୍ରହଣ କରିନାହାନ୍ତି ଭୋଟର ।

ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର : ନବୀନଙ୍କ କ୍ୟାବିନେଟର ପ୍ରଭାବଶାଳୀ ନେତା । ଦେବୀ ମିଶ୍ରଙ୍କ ଗଡରେ ଧସେଇ ପଶିଛି ବିଜେପି । ଦେବୀ ମିଶ୍ରଙ୍କ ନରସିଂହପରରେ ୪ଟି ଜିଲ୍ଲା ପରିଷଦ ଆସନରୁ ୩ଟି ପୋଛି ନେଇଛି ବିଜେପି । କଟକ ଜିଲ୍ଲାରେ ବିଜେଡି ଭଲ କରିଥିଲେ ସୁଦ୍ଧା ୮ଟି ଆସନରେ ପଦ୍ମ ଫୁଟାଇଛି ବିଜେପି ।

କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି : ମୟୁରଭଞ୍ଜରେ ମନ୍ତ୍ରୀଙ୍କଠୁ ମୁହଁଫେରାଇଛନ୍ତି ଭୋଟର । ପଡ଼ୋଶୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଓ ବିଜେଡିର ଅନ୍ତଦ୍ୱର୍ନ୍ଦ୍ୱ ଭିତରେ ମୋଟ ୫୬ଟି ଆସନରୁ ୪୯ଟି ଆସନ ଫେଛି ନେଇଛି ବିଜେପି ।