ଗରିବ ବାପା ଏବଂ କୁନି ଝିଅ ପାଇଁ ବଞ୍ଚିଲା ୨,୦୦୦ ଲୋକଙ୍କ ଜୀବନ ! ଭୋଜନ ପାଇଁ ଦୁହିଁଙ୍କୁ ଘରକୁ ନିମନ୍ତ୍ରଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

52

ତ୍ରିପୁରାର ଅଗରତଲାରେ ବସବାସ କରୁଥିବା ଗରିବ ବାପ-ଝିଅଙ୍କ ହେତୁ ୨୦୦୦ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଜଙ୍ଗଲରେ କାଠ କାଟି ନିଜର ଗୁଜୁରାଣ ମେଣ୍ଟାଉଥିବା ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅ ସୋମତି ରେଳ ଧାରଣାରେ ହୋଇଥିବା ଫାଟ ସମ୍ପର୍କରେ ଟ୍ରେନର ଲୋକୋପାଇଲଟଙ୍କୁ ଜଣାଇଥିଲେ । ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନଟି ରକ୍ଷା ପାଇ ଯାଇଛି । ବାପ-ଝିଅଙ୍କ ଏହି କାମ ହେତୁ ତ୍ରିପୁରାର ସ୍ୱାସ୍ଥ୍ୟମନ୍ତ୍ରୀ ସୁଦିପ ରାଏ ବର୍ମନ୍ ଦୁହିଁଙ୍କୁ ନିଜ ଘରକୁ ଖାଇବାକୁ ନିମନ୍ତ୍ରଣ କରିଥିଲେ ।

ଅଗରତଲାର ଦିହାଡ଼ିରେ ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱପ୍ନଦେବ ବର୍ମା ଓ ତାଙ୍କ ଝିଅ ସୋମତି ଜୁନ୍ ୧୫ ତାରିଖରେ କାଠ ଗୋଟାଉ ଥିବା ସମୟରେ ରେଳ ଧାରଣାରେ ଫାଟ ଥିବା ଦେଖିବାକୁ ପାଇଥିଲେ । ଭୂସ୍ଖଳନ ହେତୁ ଏଭଳି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା । ଏହାପରେ ବାପ-ଝିଅ ଦେଖିବାକୁ ପାଇଲେ ସାମ୍ନାରୁ ଦ୍ରୁତଗତିରେ ଏକ ଟ୍ରେନ୍ ମାଡି ଆସୁଛି । ସେମାନେ ନିଜେ ପିନ୍ଧିଥିବା ପୋଷାକକୁ ଓହ୍ଲାଇ ହାତରେ ଧରି ଟ୍ରେନ୍ ସାମ୍ନାରେ ହଲାଇ ଆଗକୁ ବିପଦ ଅଛି ବୋଲି ଲୋକୋପାଇଲଟକୁ ସୂଚିତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଲୋକୋପାଇଲଟ କିଛି ବୁଝି ପାରି ନଥିଲେ । ତେଣୁ ବାପ-ଝିଅ ସମୟ ବିଳମ୍ବ ନକରି ଟ୍ରେନ୍ ଆଡକୁ ଦୌଡ଼ିବାକୁ ଲାଗିଥିଲେ । ଲୋକଟି କାହିଁକି ଟ୍ରେନ୍ ଆଡକୁ ଏପରି ଦୌଡ଼ି ଆସୁଛି, ଆଗକୁ କିଛି ବିପଦ ଅଛି ବୋଲି ଭାବି ଜରୁରୀକାଳିନ ବ୍ରେକ୍ ଦେଇଥିଲେ ଲୋକୋପାଇଲଟ । ଟ୍ରେନ୍ଟି ଯଦି ଫାଟ ଥିବା ଧାରଣା ଦେଇ ଗତି କରି ଥାଆନ୍ତା ତେବେ ନିଶ୍ଚିତ ଏକ ଦୁର୍ଘଟଣା ଘଟି ଯାଇଥାଆନ୍ତା । ଯେଉଁଥିରେ ଅନେକ ଯାତ୍ରୀଙ୍କ ଜୀବନ ବି ଚାଲିଯିବାର ଆଶଙ୍କା ରହିଥିଲା ।

ବାପ-ଝିଅଙ୍କ ଏଭଳି ସାହସିକତା ଦେଖି ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ। ଜୁନ୍ ୨୧ ତାରିଖରେ ତ୍ରିପୁରା ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଦିପ ରାଏ ବର୍ମନ୍ ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅଙ୍କ ଏଭଳି ସାହସୀକତା ପାଇଁ ସମ୍ମାନୀତ କରିବା ସହିତ ଘରକୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ସରକାରଙ୍କ ତରଫରୁ ଦୁହିଁଙ୍କୁ ପୁରସ୍କୃତ କରାଯିବା କଥା ବି କହିଛନ୍ତି।