ପେଟ ପାଇଁ ନୁହଁ ଆଜ୍ଞା ପାଠ ପାଇଁ ନାଟ! ପାଠ ଦି’ଅକ୍ଷର ପଢିବା ପାଇଁ ତୋଳୁଛି ମୁଁ କେନ୍ଦୁପତ୍ର ।

57

“କଅଁଳ ବୟସରେ ବାପାଙ୍କ ଦେହାନ୍ତ ପରେ ମା’ଙ୍କ ମାନସିକ ସନ୍ତୁଳନ ଠିକ୍ ରହୁନଥିଲା । ଖେଳିବା ବୟସରେ ଘରର କାମ ସହ ମା’ର ସେବା ଯତ୍ନ ମଧ୍ୟ କରୁଥିଲି । ପାଠ ପଢିବା ପାଇଁ ବହୁତ ଇଚ୍ଛା ଥିଲା । ପାଠ ପ୍ରତି ଆଗ୍ରହ ଥିବା ଦେଖି ସମ୍ପର୍କୀୟ ମୋତେ ତାଙ୍କ ଘରକୁ ନେଇ ଯାଇଥିଲେ । ସେଠାରେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ମିଳିବା ସହ ପାଠ ପଢାରେ ମଧ୍ୟ ମୋତେ ସହଯୋଗ ମିଳିଲା । କିନ୍ତୁ କାହା ଉପରେ ବୋଝ ହେବା ପାଇଁ ଚାହୁଁନଥିଲି । ସମ୍ପର୍କୀୟଙ୍କୁ ଆର୍ଥିକ ସ୍ତରରେ ସାହାର୍ଯ୍ୟ କରିବା ପାଇଁ ସ୍କୁଲ ଛୁଟିପରେ କିମ୍ବା ଛୁଟି ଦିନ ମାନଙ୍କରେ ଚାଲି ଆସୁଥିଲି କେନ୍ଦୁପତ୍ର ଗୋଟାଇବାକୁ । ସେଥିରୁ ଯାହା ପାରିଶ୍ରମିକ ପାଉଥିଲି ତାକୁ ବଢାଇଦେଉଥିଲି ସମ୍ପର୍କୀୟଙ୍କ ହାତକୁ । ଏବେ ସ୍କୁଲରେ ଛୁଟି ଚାଲିଛି ମୋ ସାଙ୍ଗମାନେ କିଏ ଛୁଟିରେ ବୁଲିବାକୁ ଗଲେଣି ତ ଆଉ କିଏ ଖେଳକୁଦରେ ସମୟ ବିତାଉଛନ୍ତି । କିନ୍ତୁ ଆଗକୁ ପାଠପଢା ଜାରି ରଖିବା ପାଇଁ ମୋତେ ଟଙ୍କା ସଞ୍ଚୟ କରିବାକୁ ପଡିବ । ଯାହା ମୁଁ ଏବେ କେନ୍ଦୁପତ୍ର ଗୋଟାଇ କରୁଛି ।”ଏଭଳି କିଛି ହୃଦୟସ୍ପର୍ଶୀ କଥା ବଖାଣିଥିଲା ମାଲକିନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କୋଇରିପାରି ଗ୍ରାମର ଏହି ଅସହାୟ ପିଲାଟି । ନାଁ ତାର ଡମ୍ବରୁ ମୁଦୁଲି । ଷଷ୍ଠ ଶ୍ରେଣୀରେ ପଢୁଥିବା ଡମ୍ବରୁ ପିତା କମଳୁ ମୁଦୁଲିଙ୍କ ମୃତ୍ୟୁ ପରେ ମା’ର ଚିକିତ୍ସା ଖର୍ଚ୍ଚ ଏବଂ ନିଜ ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ଏକାକୀ ଘରୁ ବାହାରିଛି । କୋମଳ ବୟସରେ କେନ୍ଦୁପତ୍ର ବିକି ଟଙ୍କା ସଞ୍ଚୟ କରୁଛି ଏହି ନିରୀହ ପିଲା । ମା’ଙ୍କ ଅବସ୍ଥା ଏଭଳି ହୋଇଛି ଯେ ସେ ନିଜ ପୁଅକୁ ମଧ୍ୟ ଚିହ୍ନି ପାରୁନାହାନ୍ତି । ଅନାଥ ଅବସ୍ଥାରେ ଡମ୍ବରୁକୁ ସାହା ହୋଇଛନ୍ତି ତା ବଡମାଆ । ପିଲାଟିର ଖାଦ୍ୟପେୟ ସହ ପାଠପଢା ପ୍ରତି ବଡମାଆ ସଜାଗ ରହିଛନ୍ତି । କିନ୍ତୁ ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଏତେ ସ୍ୱଚ୍ଛଳ ନୁହଁ ନିଜ ସାମର୍ଥ୍ୟ ଅନୁସାରେ ସେ ଡମ୍ବରୁକୁ ପଢାଉଛନ୍ତି କିନ୍ତୁ ଆଗକୁ ପଢାଇବା ତାଙ୍କ ପକ୍ଷେ କାଠିକର ପାଠ ହୋଇଯାଇଛି । ବଡମାଆଙ୍କ କଷ୍ଟକୁ ଲାଘବ କରିବା ପାଇଁ ପିଲାଟି ଅଣ୍ଟା ଭିଡିଛି ।

ଗ୍ରାମବାସୀଙ୍କ କହିବାନୁସାରେ ପିଲାଟିଦିନରୁ ଡମ୍ବରୁ ନିଜ ଖର୍ଚ୍ଚ ନିଜେ ବହନ କରିବା ପାଇଁ କେନ୍ଦୁପତ୍ର ଗୋଟାଉଛି । ଗ୍ରାମବାସୀ ଏବଂ ଡମ୍ବରୁଙ୍କ ବଡମା’ ଏବେ ଜିଲ୍ଲା ପ୍ରଶାସନକୁ ଡମ୍ବରୁକୁ ଆଗକୁ ପଢାଇବା ପାଇଁ ନେହୁରା ହୋଇଛନ୍ତି । ଏହି ବିଷୟରେ କୋରୁକୋଣ୍ଡା ସରପଞ୍ଚ ବଂଶୀଧର ମୁଦୁଲିଙ୍କୁ ପଚାରିବାରୁ ସେ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ କଥା ଦେଇଛନ୍ତି । ଏଭଳି ଗରିବ ଶ୍ରେଣୀର ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କୁ ଛାତ୍ରାବାସରେ ରଖି ପାଠପଢାଇବା ପାଇଁ ସବୁ ସୁବିଧା ଯୋଗାଇଦେବା କଥା ସେ କହିଛନ୍ତି ।