ପଲିଥିନ୍ ବ୍ୟବହାର ନେଇ ସରିଲା କଣ୍ଟ ! କାଲିଠୁ କାର୍ଯ୍ୟାନୁଷ୍ଠାନ, ଜୋରିମାନା ସହ ହୋଇପାରେ ଜେଲ୍ ।

322

କନକ ବ୍ୟୁରୋ : ପ୍ଲାଷ୍ଟିକ ବ୍ୟାନ୍ ପାଇଁ ଦିଆଯାଇଥିବା ସମୟସୀମା ଆଜି ଶେଷ ହୋଇଛି । ଏଣିକି କଡାକଡା ହେବ ନିୟମ । ଯଦି ଆସନ୍ତାକାଲି ଠାରୁ କେହି ପଲିଥିନ୍ ବ୍ୟବହାର କରନ୍ତି, ତେବେ ତାଙ୍କୁ ଦଣ୍ଡିତ ହେବାକୁ ପଡିବ । କାରଣ ପ୍ଲାଷ୍ଟିକ ବ୍ୟାନ ପାଇଁ ଯେଉଁ ୧ ମାସର ସମୟସୀମା ଦିଆଯାଇଥିଲା, ତାହା ଆଜି ଶେଷ ହୋଇଛି । ଆସନ୍ତାକାଲି ଠାରୁ ପଲିଥିନ୍ ବ୍ୟବହାର ଉପରେ ଲଗାମ ଲାଗିବ । ଏବଂ ଯେଉଁ ବ୍ୟକ୍ତି ପଲିଥିନ୍ ବ୍ୟବହାର କରିବେ ସେମାନଙ୍କୁ ଦଣ୍ଡିତ କରାଯିବ ।

ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ପଲିଥିନ ବ୍ୟାନ ଲାଗି କଂଟ ପୁରିବା ପରେ ଏଣିକି ପଲିଥିନ ବିକ୍ରି କଲେ ସଂପୃକ୍ତ ଦୋକାନୀ ଓ କଂପାନୀ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବେଶ ସଚିବ । ଛୋଟ ଛୋଟ ଦୋକାନୀ ପଲିଥିନ୍ ବ୍ୟବହାର କଲେ ସେମାନଙ୍କ ଉପରେ ୩୦୦୦, ୫ ହଜାର କିମ୍ବା ୭ ହଜାର ଟଙ୍କାର ଫାଇନ ଲାଗିବ । ଆଉ ସବୁଠାରୁ ବଡ କଥା ହେଉଛି ପଲିଥିନ୍ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆସିଲେ, ମ୍ୟୁନିସିପାଲଟି କିମ୍ବା ଅର୍ବାନ ଡେଭଲପମେଣ୍ଟ ଚଢାଉ କରିପାରିବେ ।

ସେହିପରି ଗୋଦାମ ଓ ପଲିଥିନ ପ୍ରସ୍ତୁତ କରୁଥିବା କଂପାନୀ ଗୁଡିକ ଉପରେ ଚଢାଉ କରିବାକୁ ପ୍ରଦଷଣ ନିୟନ୍ତ୍ରଣ ବୋର୍ଡ ଓ ଅର୍ବାନ ଡେଭଲପମେଂଟ ବିଭାଗକୁ ଚିଠି ଲେଖାଯାଇଛି ବୋଲି ବିଭାଗୀୟ ସଚିବ କେ ମୁରୁଗେସନ ସୂଚନା ଦେଇଛନ୍ତି । ଯଦି ବଡ ବଡ ଦୋକାନ, ଗୋଦାମ କିମ୍ବା ଫ୍ୟାକ୍ଟ୍ରିରେ ୫୦ ମାଇକ୍ରନରୁ କମ ପଲିଥିନ୍ ବ୍ୟବହାର ହୁଏ କିମ୍ବା ତିଆରି ହୁଏ ତେବେ ଅତି କମରେ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହେବ । ରେଡ ଗୁଡିକ ଇପିଏ ବା ଏନଭରମେଂଟ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ କରାଯିବ ଓ ଏଥିଲାଗି ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଅତିକମରେ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।