ଜିଜ୍ଞାସାଙ୍କ ମୃତ୍ୟୁର ରହସ୍ୟ ଉପରୁ ଉଠିବ ପରଦା ! ସତ ଜାଣିବା ପାଇଁ ପୁରୁଷ ବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟ କଲା ପୁଲିସ୍

27

କନକ ବ୍ୟୁରୋ : ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଂଟର ବାଲକୋନିରୁ ପଡି ମୃତ୍ୟୁ ହୋଇଥିବା ଜିଜ୍ଞାସାଙ୍କ ମୃତ୍ୟୁର ରହସ୍ୟ ଖୋଜୁଛି ପୁଲିସ୍ । ସତ ଜାଣିବା ପାଇଁ ଜିଜ୍ଞାସାଙ୍କ ପୁରୁଷ ବନ୍ଧୁଙ୍କ ପଲିଗ୍ରାଫ୍ ଟେଷ୍ଟ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ । ଏହା ସହିତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଆପାର୍ଟମେଂଟର ସିସିଟିଭି ଫୁଟେଜ୍, ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ମୃତ୍ୟୁ ରହସ୍ୟ ଉପରୁ ପର୍ଦା ହଟାଇବାକୁ ଉଦ୍ୟମ ଜାରି ରଖିଛି ପୁଲିସ୍ ।

ଜିଜ୍ଞାସା ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କର ପଲିଗ୍ରାଫ ଟେଷ୍ଟ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେଦିନ ରାତିରେ ଜିଜ୍ଞାସାଙ୍କ ସହ କଣ ଘଟିଥିଲା ? ଜିଜ୍ଞାସା ବାଲକୋନୀରେ କଣ କରୁଥିଲେ ? ଜିଜ୍ଞାସା ତଳକୁ ଖସି ପଡିଲେ କେମିତି ? ବିଳମ୍ବରେ ପୁଲିସକୁ କାହିଁକି ଖବର ଦେଲେ ଏହି ପୁରୁଷ ବନ୍ଧୁ ? ଏଭଳି କିଛି ପ୍ରଶ୍ନର ସନ୍ତୋଷ ଜନକ ଉତର ପୁଲିସ ପାଇ ନଥିବାରୁ ପୁରୁଷ ବନ୍ଧୁଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଛି ।

ଜିଜ୍ଞାସାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ, ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଆପାର୍ଟମେଂଟର ସିସିଟିଭି ଫୁଟେଜ୍,ପୋଷ୍ଟମର୍ଟମ ରିପୋର୍ଟ ଏବଂ ପଲିଗ୍ରାଫ ରିପୋର୍ଟ ପରେ ହିଁ ଜିଜ୍ଞାସା ମୃତ୍ୟୁ ରହସ୍ୟ ଉପରୁ ପର୍ଦା ହଟି ପାରିବ ବୋଲି ପୁଲିସ କହିଛି ।

ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଂଟରେ ନିଜ ପୁରୁଷ ବନ୍ଧୁଙ୍କ ସହ ଲେଟ୍ ନାଇଟ୍ ପାର୍ଟିରେ ଯୋଗ ଦେଇଥିଲେ ଜିଜ୍ଞାସା । ହେଲେ ରାତି ୩ଟାରେ ହଠାତ ବାଲକୋନୀରୁ ତଳକୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା ।