ଲୁଣିପାଣିଲେ ଚାଲିଛି ରାଜନୀତି : ଚିଲିକାର ଚିଙ୍ଗୁଡି ଘେରିରେ ପତିଆରାର ପତାକା

24

କନକ ବ୍ୟୁରୋ : ଚିଲିକାରେ ଯେଉଁ ବେଆଇନ ଘେରିକୁ ଭାଙ୍ଗିବା ପାଇଁ ପ୍ରଶାସନକୁ ନାକେଦମ୍ ହେବାକୁ ପଡୁଛି, ସେହି ବେଆଇନ ଚିଙ୍ଗୁଡ଼ି ଘେରିରେ ଉଡୁଛି ଦଳୀୟ ପତାକା । ରାଜନୈତିକ ପ୍ରତିଦ୍ୱନ୍ଦିତା ଏବଂ ପତିଆରାରର ପ୍ରତୀକ ଭାବରେ ଚିଙ୍ଗୁଡ଼ି ଘେରିରେ ଫରଫର ହୋଇ ଉଡୁଛି ବିଜେପି ଏବଂ ବିଜେଡି ପତାକା । ବେଆଇନ ଘେରି ଚଳାଉଥିବା ମାଫିଆମାନେ ବୋଧେ, ପ୍ରଶାସନକୁ ଏହି ପତାକା ଉଡ଼ାଇ ସୂଚନା ଦେବାକୁ ଚାହୁଁଛନ୍ତି, ତାଙ୍କ ପଛରେ ରହିଛି କେଉଁ ଦଳ ଏବଂ କେଉଁ ନେତାଙ୍କ ସମର୍ଥନ ।

ବେଆଇନ ଘେରି ଉପରେ ଉଡୁଥିବା ବିଜେଡି ଓ ବିଜେପିର ପତାକାକୁ ଯଦି ଭୃକ୍ଷେପ ନକରି ପ୍ରଶାସନ ଚିଙ୍ଗୁଡ଼ି ଘେରି ଭାଙ୍ଗେ ତା’ହେଲେ କ’ଣ ଘଟିପାରେ । ବୋଧେ, ମାଫିଆମାନେ ଏହି ପତାକା ଜରିଆରେ ପ୍ରତୀକାତ୍ମକ ଭାବରେ ସୂଚାଇ ଦେଉଛନ୍ତି କି ? ଚିଲିକାର ପାଣିରେ ରାଜନୀତିର ଏହି ଛାପାଟି ସ୍ଥଳ ପଥରୁ ଜଳପଥ ଯାଏଁ ରାଜନୈତିକ ଦଳ ଏବଂ ନେତାଙ୍କ ଉପସ୍ଥିତି ଏବଂ ତାଙ୍କ ପ୍ରଭାବର କଥା ହିଁ ବୟାନ କରୁଛି । ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି-
-ଦଳୀୟ ପତାକା ଜରିଆରେ ପ୍ରଶାସନ ଉପରେ ଚାପ ପକାଇବାର ପ୍ରୟାସ ହେଉଛି କି ?
-ବେଆଇନ ଘେରିରେ ପତାକା ମାରି ଦୁର୍ଗକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ହେଉଛି କି ?
– ପରୋକ୍ଷରେ ମାଫିଆମାନେ ପ୍ରଶାସନକୁ ଧମକ ଦେବାକୁ ଚେଷ୍ଟା କରୁଛନ୍ତି କି ?