କନକ ବ୍ୟୁରୋ : ଧିରେ ଧିରେ ମହାନଦୀରେ ଲୋପ ପାଉଛି ଜଳଜୀବଙ୍କ ବଂଶ । ମହାନଦୀର ଜଳସ୍ତର କମିବା, ଜଳ ପ୍ରଦୁଷଣ ଓ ଅପ୍ରାକୃତିକ ଉପାୟରେ ମାଛ ମରାଯିବା ହେଉଛି ଏହାର ପ୍ରମୁଖ କାରଣ । ମହାନଦୀରୁ ମିଳୁଥିବା ବିରଳ ପ୍ରଜାତିର ମଧୁର ମାଛ ଆଉ ବଜାରରେ ମିଳୁନାହିଁ । ଏବେ ଏହା କେବଳ ଜୀବ ବିଜ୍ଞାନ ବିଭାଗର ପରୀକ୍ଷାଗାରାରେ ସଂରକ୍ଷିତ ହୋଇରହିଛି । ।
Kanak News is now on WhatsApp
Join and get latest news updates delivered to you via WhatsApp
ହୁଏତ ଆଗକୁ ଆଉ ମହାନଦୀର ମଧୁର ମାଛ ବଜାରରେ ମିଳିବନି । ଯାହା କେବଳ ଜୀବ ବିଜ୍ଞାନର ପରୀକ୍ଷାଗାରାରେ ଦେଖିବାକୁ ମିଳିବ । ମୁଶେର, ଜଳଙ୍ଗ, ବୁଦ୍ଧିଆ ଭଳି ବିରଳ ପ୍ରଜାତିର ସୁଆଦିଆ ମାଛ ସବୁ ଏବେ ଜୀବ ବିଜ୍ଞାନ ବିଭାଗର ବି ଜ୍ଞାନଗାରରେ ରହିଛି । ଧିରେ ଧିରେ ମହାନଦୀରୁ ଲୋପ ପାଉଛି ଏହି ପ୍ରଜାତିର ମାଛ ବଂଶ । ଓଡିଶାର ଜୀବନ ରେଖାରୁ କ୍ୱିଂଟାଲ କ୍ୱିଂଟାଲ ଚିଙ୍ଗୁଡି ଓ ମଧୁର ମାଛ ମାରି ପରିବାର ଗୁଜୁରାଣ ମେଂଟାଉ ଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।
ସୁବର୍ଣ୍ଣପୁର ଦେଇ ପ୍ରବାହିତ ମହାନଦୀରୁ ଆଗରୁ ୪୦୦ ପ୍ରକାର ମାଛ ଓ ଜଳଜୀବ ଦେଖିବାକୁ ମିଳୁଥିବା କୁହାଯାଏ । ୧୩୫ ପ୍ରଜାତିର ମାଛ ମାରି ପେଟ ପୋଷନ୍ତି ଏଠାକାର ମତ୍ସ୍ୟଜୀବୀ । ଏଗୁଡିକ ମଧ୍ୟରେ ରହିଛି ରୋହି, ଭାକୁର, ମିରକାଳି, ମୁଶେର, ଜଳଙ୍ଗ, ବୁଦ୍ଧିଆ, ବଟୁ, ତରୁ, ଟେଙ୍ଗନି, ଜର୍ଡା ଓ ଉଣ୍ଡେଇ ଭଳି କାତି ଅକାତିର ଅନେକ ମାଛ । ହେଲେ ଜମିରେ ବ୍ୟବହୃତ ରସାୟିନିକ ସାର ଯୁକ୍ତ ପାଣି, ଡ୍ରେନ ପାଣି, ଅଣମତ୍ସ୍ୟଜୀବୀଙ୍କ ବେଆଇନ ଭାବେ ମାଛମରା ଯୋଗୁଁ ମାଛ ବଂଶ ଲୋପ ପାଉଥିବା ଜୀବ ବିଜ୍ଞାନୀ କୁହନ୍ତି ।ମହାନଦୀରେ ଜଳଜୀବଙ୍କ ସଂଖ୍ୟା କମିବା ଯୋଗୁଁ ବଜାରରେ ଆନ୍ଧ୍ରା ମାଛର ଚାହିଦା ବଢିଛି । ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ଓ ଜଳଜୀବଙ୍କ ସୁରକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରାଯିବା ଜରୁରୀ ହୋଇପଡିଛି ।