ସାରା ବିଶ୍ୱରେ ଭୟଙ୍କର ରୂପ ନେଉଛି ପ୍ରଦୂଷଣ ! ଭାରତ ଓ ଚୀନରେ ସର୍ବାଧିକ ପ୍ରଦୂଷଣ ମୃତ୍ୟୁ

31

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ଏବେ ପ୍ରଦୂଷଣ ମହା ଭୟଙ୍କର ସଙ୍କଟ ରୂପେ ଉଭା ହୋଇଛି । ବିଶ୍ୱର ୯୫ ପ୍ରତିଶତ ଲୋକ ଦୂଷିତ ବାୟୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ବେଳେ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇଛି । ବିଶ୍ୱରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଭାରତ ଏବଂ ଚୀନ୍‌ର ବୋଲି ଜଣାପଡ଼ିଛି । ଏ ବାବଦରେ ଅନୁସନ୍ଧାନମୂଳକ ରିପୋର୍ଟ ଆମେରିକାର ହେଲଥ ଇଫେ୍‌କ୍ଟସ ଇନ୍‌ଷ୍ଟିଚ୍ୟୁଟ୍‌ ଜାରି କରିଛି ।

ପ୍ରଦୂଷଣ ଯୋଗୁଁ ଗରିବ ଶ୍ରେଣୀର ଲୋକେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି । ସର୍ବାଧିକ ପ୍ରଦୂଷଣ ଓ ସର୍ବନିମ୍ନ ପ୍ରଦୂଷଣ ହେଉଥିବା ରାଷ୍ଟ୍ରଙ୍କ ମଧ୍ୟରେ ତଫାତ ବହୁତ ବଢ଼ିଚାଲିଛି । ବିଶ୍ୱବ୍ୟାପୀ ସହରାଞ୍ଚଳରେ ରହୁଥିବା ପ୍ରାୟ ଶହେ କୋଟି ଲୋକ ପ୍ରଦୂଷିତ ବାୟୁ ଗ୍ରହଣ କରୁଛନ୍ତି । ଭାରତର ଗ୍ରାମାଞ୍ଚଳରେ କାଠ, କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଲୋକେ ଘର ଭିତରେ ପ୍ରଦୂଷିତ ବାୟୁକୁ ସାମ୍ନା କରୁଛନ୍ତି । ବିଶ୍ୱରେ ପ୍ରତି ୩ ଜଣରୁ ଜଣେ ବ୍ୟକ୍ତି ଘର ଭିତରେ ଓ ବାହାରେ ପ୍ରଦୂଷିତ ବାୟୁରେ ଜୀବନ ଅତିବାହିତ କରୁଛନ୍ତି ।

ଭାରତରେ ବିଭିନ୍ନ ପ୍ରକାର ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ପ୍ରତିବର୍ଷ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣ ହରାଉଥିବା ଜଣାପଡ଼ିଛି । ପ୍ରଦୂଷଣ ଯୋଗୁଁ ସମଗ୍ର ବିଶ୍ୱରେ ୨୦୧୫ରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱରେ ଯୁଦ୍ଧ ଓ ହିଂସା ଯୋଗୁଁ ଯେତିକି ଲୋକ ମରିଛନ୍ତି ପ୍ରଦୂଷଣ ମୃତ୍ୟୁ ତା’ଠାରୁ ଯଥେଷ୍ଟ ଅଧିକ । ପ୍ରଦୂଷଣ ମୃତ୍ୟୁର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ୯୨ ପ୍ରତିଶତ ମୃତ୍ୟୁ ନିମ୍ନ ଆୟବର୍ଗର ଦେଶରେ ଘଟିଥିବା ବେଳେ ଏ ବାବଦ ସଙ୍କଟ ପ୍ରତିବର୍ଷ ବଢ଼ିବାରେ ଲାଗିଛି । ପ୍ରଦୂଷଣ ଯୋଗୁଁ ଲୋକେ ହୃଦୟ, ମସ୍ତିଷ୍କ, ଶ୍ୱାସ ଏବଂ ଚର୍ମ ରୋଗର ଶିକାର ହୋଇଥାନ୍ତି । ପାଣି, ପବନଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ ପ୍ରଦୂଷଣସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟସଙ୍କଟ ମଧ୍ୟ ବଢ଼ି ଚାଲିଛି ।

 

ବିଶ୍ୱରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି ତା’ଠାରୁ ୬ ଗୁଣ ଲୋକ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଶିଳ୍ପ ବିକାଶକୁ ପ୍ରାଧାନ୍ୟ ଦେଉଥିବା ଭାରତ, ପାକିସ୍ତାନ, ଚୀନ୍‌, ବାଂଲାଦେଶ ଆଦି ରାଷ୍ଟ୍ରରେ ଏବେ ପ୍ରଦୂଷଣ ଲୋକଙ୍କ ପାଇଁ ମୃତ୍ୟୁଦୂତ ହୋଇ ଆସିଛି । ପ୍ରଦୂଷଣ ରୋକିବା ପାଇଁ ଯେଭଳି ଧ୍ୟାନ ଦିଆଯିବା ଆବଶ୍ୟକ ତାହା ଦେଖିବାକୁ ମିଳୁନାହିଁ । ଏହି ସଙ୍କଟକୁ ବିଭିନ୍ନ ରାଷ୍ଟ୍ର ଅଣଦେଖା କରିଚାଲିଥିବାରୁ ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ଜଗତୀକରଣର ଯୁଗରେ ଖଣି ଖନନ, ନିର୍ମାଣ କାର୍ଯ୍ୟ, ଶିଳ୍ପ ବିକାଶ, ପରିବେଶ ବିରୋଧୀ ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେଲାବେଳେ ବିନାଶଲୀଳା ପ୍ରତି ସରକାରମାନେ ଉଦାସୀନ ରହିଥାନ୍ତି । ଭାରତରେ ପ୍ରଦୂଷଣ ରୋକିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଫଳପ୍ରଦ ହୋଇପାରୁନାହିଁ । ଦିଲ୍ଲୀ ସହରରେ ପ୍ରଦୂଷଣସ୍ତରକୁ କମାଇବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥିତି ଗମ୍ଭୀର ରହିଛି ।