କେହି ଶୁଣୁ ନାହାନ୍ତି ଜୀବନଦାୟୀ ଗଙ୍ଗାର ଦୁଃଖ , ୧୯୮୬ରୁ ହୋଇଗଲା ୨୦୧୮ , କିନ୍ତୁ ଗଙ୍ଗାର ସେଇ ଗୋଟିଏ କାହାଣୀ

103

ଗଙ୍ଗା ଭାରତର ଏକ ପବିତ୍ର ନଦୀ ଭାବରେ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି । ଏହା କେବଳ ଏକ ନଦୀ ନୁହେଁ ଆତ୍ମାକୁ ପରମାତ୍ମା ସହ ମିଶାଇବାର ଏକମାତ୍ର ମାର୍ଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ବୁଡ ପକାଇ ପାପ ଧୋଇବା ପାଇଁ । କିନ୍ତୁ ବର୍ଷ ବର୍ଷ ଧରି ଲୋକଙ୍କୁ ପବିତ୍ର କରୁଥିବା ଗଙ୍ଗା ଏବେ ନିଜର ପବିତ୍ରତା ହରାଇବାକୁ ଲାଗିଛି । ପ୍ରତିଦିନ ଗଙ୍ଗାରେ ବିସର୍ଜନ ହେଉଛି କୁଢ କୁଢ ଆବର୍ଜନା । ଗଙ୍ଗାକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ବହୁ ବର୍ଷ ପୂର୍ବରୁ ଚାଲିଛି ଚେଷ୍ଟା ।
ଯୋଜନା ରହିଯାଇଛି ଯୋଜନାରେ :
ଉଲ୍ଲେଖଯୋଗ୍ୟ, ୨,୫୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଗଙ୍ଗା ନଦୀକୁ ସ୍ୱଚ୍ଛ କରିବାର ଯୋଜନା ୧୪ ଜାନୁଆରୀ ୧୯୮୬ ରେ ଆରମ୍ଭ ହୋଇଥିଲା । ଯାହାର ମୁଖ୍ୟ କାରଣ ଥିଲା ପ୍ରତିଦିନ ଗଙ୍ଗାରେ ମିଶୁଥିବା ଆବର୍ଜନାକୁ ସଫା କରି ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରିବା । ଏଥି ମଧ୍ୟରେ ୧୯୮୬ ଯାଇ ଆସିଲାଣି ୨୦୧୮ । ସେତେବେଳେବି ଗଙ୍ଗାର ଚିତ୍ର ଯାହା ଥିଲା ଆଜି ବି ଠିକ ସେମିତି ରହିଛି । ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଛି । କିନ୍ତୁ ଏହାର କୌଣସି ସୁଫଳ ଆଜିଯାଏଁ ଦେଖିବାକୁ ମିଳିପାରିନାହିଁ ।

ଏଥି ମଧ୍ୟରେ କେତେ ସରକାର ଆସିଲେଣି ଏବଂ ଗଲେଣି । ଗଙ୍ଗାକୁ ଦୂଷିତ ହେବାରୁ ରୋକିବା ପାଇଁ ଅନେକ ଯୋଜନା ମାନ ମଧ୍ୟ ତିଆରି କରାଯାଇଛି । କିନ୍ତୁ ଫଳ ଶୂନ । ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ଟଙ୍କା ମଧ୍ୟ ଆସିଛି । କିନ୍ତୁ ଆଜିବି ଗଙ୍ଗାର ଅବସ୍ଥା ଯେମିତି ଥିଲା ସେମିତି ରହିଛି । ଅନ୍ୟ ନଦୀ ଭଳି ଜୀବନଦାୟୀ ଗଙ୍ଗା ମଧ୍ୟ ପ୍ରଦୂଷଣର ଶିକାର ହେବାରେ ଲାଗିଛି ।