୧୯ ଯୁଦ୍ଧରେ ଦଳ ବଦଳାଇଥିବା ହେଭିୱେଟ୍ ନେତାଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ଇଭିଏମରେ ସିଲ୍ ହୋଇଛି ଭାଗ୍ୟ ।

359

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଏମିତି କିଛି ଚେହେରାଙ୍କୁ ନେଇ ଚର୍ଚ୍ଚା, ଯେଉଁମାନେ ୧୯ ଯୁଦ୍ଧରେ ବଦଳାଇଥିଲେ ଅସ୍ତ୍ର । ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଭରସିଥିଲେ ଓଡିଶା ରାଜନୀତିର କିଛି ହେଭିୱେଟ୍ ନେତା । ଯାହାଙ୍କ ରାଜନୈତିକ ଭବିଷ୍ୟତ ଏବେ ଇଭିଏମରେ ସିଲ୍ ହୋଇସାରିଛି । ଆସନ୍ତୁ ନଜର ପକାଇବା ଏମିତି କିଛି ହେଭିୱେଟ୍ ନେତାଙ୍କ ଉପରେ ।

ବୈଜୟନ୍ତ ପଣ୍ଡା :

କେନ୍ଦ୍ରାପଡା ଲଢେଇ ଉଭୟ ବିଜେଡି ଓ ବୈଜୟନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ । ବିଜେଡି ଛାଡି ବିଜେପିରେ ଯୋଗଦେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଲଢେଇକୁ ବିଜେଡି ବନାମ ବୈଜୟନ୍ତରେ ପରିଣତ କରିଦେଇଛନ୍ତି ବିଜେପି ପ୍ରାର୍ଥୀ । ଦୁଇଦୁଇ ଥର ବିଜେଡି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ବିରୋଧରେ ଅଭିନେତା ଅନୁଭବଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି । ବୈଜୟନ୍ତଙ୍କ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଛନ୍ତି । ସେପଟେ ଦଳୀୟ ପ୍ରାର୍ଥୀ ଅନୁଭବଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ କେନ୍ଦ୍ରାପଡାରେ ସିଧାସଳଖ ଏକ ଆଂଚଳିକ ଦଳ ସହ ଜାତୀୟ ଦଳର ଟକ୍କର ହେଉଛି । ଅନୁଭବ ଓ ବୈଜୟନ୍ତଙ୍କ ଜରିଆରେ ଏଠାରେ ଲୋକପ୍ରିୟତାର ପରୀକ୍ଷା କରୁଛନ୍ତି ଉଭୟ ବିଜେଡି ଓ ବିଜେପି ।

ଦାମୋଦର ରାଉତ :

ଏପଟେ ବାଲିକୁଦା ଏରସମାରେ ବି ବାଜିରେ ଲାଗିଛି ଆଉ ଜଣେ ବିଜେପି ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତଙ୍କ ଭାଗ୍ୟ । ବିଜେପିରେ ଯୋଗଦେବା ପରଠାରୁ ବିଜେଡି ଓ ଏହାର ନେତୃତ୍ୱ ବିରୋଧରେ ବିଷୋଦଗାର କରିଆସୁଛନ୍ତି ଦାମ । ଏକ ଅପ୍ରିତିକର ପରିସ୍ଥିତିରେ ଦଳ ଛାଡି ବିଜେପି ଶିବିରରେ ଶରଣ ନେବା ସହ ନିଜ ପାରମ୍ପରିକ ଆସନ ପାରାଦୀପ ଛାଡି ପୁରୁଣା ଆସନରୁ ପୁଣି ବିଧାନସଭା ଆସିବାକୁ ପୁରା ଜୋର ଲଗାଇଦେଇଛନ୍ତି ଏହି ବରିଷ୍ଠ ନେତା । ଶେଷ ପର୍ଯ୍ୟାୟରେ ଜଗତସିଂହପୁର ଲୋକସଭା ସମେତ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ।

ବଳଭଦ୍ର ମାଝୀ :

ବିଜେପି ଟିକେଟରେ ପ୍ରତିଦ୍ୱନ୍ଦିତା କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଚଳିତ ନିର୍ବାଚନରେ ବଳଭଦ୍ରଙ୍କ ଟିକେଟ କାଟି ବିଜେଡି ରମେଶ ମାଝୀଙ୍କୁ ପ୍ରାର୍ଥୀ କରିବା ପରେ ପଦ୍ମ ଦଳକୁ ଡିଆଁ ମାରିଥିଲେ ବଳଭଦ୍ର । ଆଉ ତୁରନ୍ତ ତାଙ୍କୁ ପ୍ରାର୍ଥୀ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେଡିରୁ ମିଳିଥିବା ପ୍ରତାରଣାର ପ୍ରତିଶୋଧ ନେବାକୁ ସବୁ ବଳ ଲଗାଇ ଦେଇଛନ୍ତି ଏହି ପୂର୍ବତନ ବିଜେଡି ସାଂସଦ । କିଭଳି ତାଙ୍କୁ ଦଳରେ ବାରମ୍ବାର ଉପେକ୍ଷା କରାଯାଇଥିଲା ସେନେଇ ଅଭିଯୋଗ କରି ବିଜେଡି ବିରୋଧୀ ଜନମତ ତିଆରି କରିବାକୁ ଭରପୁର ପ୍ରୟାସ କରିଛନ୍ତି ।

ଚନ୍ଦ୍ରଶେଖର ସାହୁ :

କଂଗ୍ରେସ ରାଜନୀତିର ଜଣେ ପ୍ରଭାବଶାଳୀ ଚେହେରା ଚନ୍ଦ୍ରଶେଖର ସାହୁ । ବିଜୟ ସମ୍ଭାବନାରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ପରିବର୍ତନ କରିଥିଲା ବିଜେଡି । ଦୁଇଦୁଇଥର ଏହି ଆସନରୁ ବିଜେଡି ଟିକେଟରେ ଜିତି ଲୋକସଭାକୁ ଯାଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ପରିବର୍ତନ କରି ଚନ୍ଦ୍ରଶେଖର ସାହୁଙ୍କୁ ଦେଇଥିଲା ବଡ ପୁରସ୍କାର । ଦଳବଦଳ ପରେ ବ୍ରହ୍ମପୁରରେ ବାଜିରେ ଲାଗିଛି ଏହି ଭେଟେରାନ ଲିଡରଙ୍କ ସମ୍ମାନ ।

ବିକ୍ରମ ପଣ୍ଡା :

ସମାନ ଢଙ୍ଗରେ ପ୍ରଭାବୀ ନେତା ବିକ୍ରମ ପଣ୍ଡାଙ୍କୁ କଂଗ୍ରେସରୁ ଆଣି ବିଜେଡିରେ ବିଶେଷ ଗୁରୁତ୍ୱ ଦେଇଛି ଦଳ । ପୂର୍ବରୁ ହିଁ ଅନୁମାନ କରାଯାଉଥିଲା ଯେ, ବ୍ରହ୍ମପୁର ଲୋକସଭାରେ ଚନ୍ଦ୍ରଶେଖର ଓ ବିଧାନସଭାରେ ବିକ୍ରମଙ୍କୁ ପ୍ରାର୍ଥୀ କରିପାରେ ଦଳ । ଆଉ ତାହା ହିଁ ହୋଇଛି । ତେବେ କଂଗ୍ରେସରେ ରହି ଶାସକ ବିଜେଡିକୁ କଡା ଟକ୍କର ଦେଉଥିବା ଏହି ନେତାମାନେ ଏବେ ବିଜେଡିରେ ରହି ବିଜୟ ସମ୍ଭାବନାକୁ ବଢାଇ ଦେଇଛନ୍ତି ।

ନବ ଦାସ :

ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦେଖିବାକୁ ମିଳିବା ପରେ ଶେଷରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଝାରସୁଗୁଡା ବିଧାୟକ ନବ ଦାସ । ଆଉ ତାଙ୍କୁ ଦଳରେ ସାମିଲ କରିବା ସହ ପୁଣି ଝାରସୁଗୁଡାରୁ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । କଂଗ୍ରେସରେ ରହି ବିଜେଡିକୁ ଧୁଳି ଚଟାଉଥିବା ଏହି ଭେଟେରାନ ଲିଡରଙ୍କ ସପକ୍ଷରେ ଜନମତ ଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଦଳ ବଦଳର ପ୍ରଭାବ ଏହି ନେତାଙ୍କ ପକେଟ ଭୋଟକୁ ପ୍ରଭାବିତ କରୁଛି ନା ପୂର୍ବପରି ଲୋକପ୍ରିୟତା ଓ ବିଜେଡିର ସମର୍ଥନ ଉଭୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।