ଅବସର ଅଖିମୁଠି ଉଦ୍ଦେଶ୍ୟ ରାଜନୀତି! ଚାଷୀଙ୍କ ହୃଦୟରେ ସ୍ଥାନ ବନାଇବାକୁ ନେତାଙ୍କ ଉଦ୍ୟମ

17

କନକ ବ୍ୟୁରୋ : ପ୍ରତ୍ୟେକ ଓଡିଆଙ୍କ ପାଇଁ ଅକ୍ଷୟ ତୃତୀୟା ବେଶ ଗୁରୁତ୍ୱପୂର୍ଣ୍ଣ । ଚାଷକାମ କୁହନ୍ତୁ ବା ସନ୍ତାନ ସନ୍ତତିଙ୍କ ମାଙ୍ଗଳିକ କାର୍ଯ୍ୟ । ନୂଆ ଘର ତିଆରି ବା ଗୃହ ପ୍ରବେଶ । ଯେକୌଣସି କାର୍ଯ୍ୟ ଏହିଦିନଠାରୁ ଆରମ୍ଭ କଲେ ଶୁଭ ହୁଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟ ଅଖିମୁଠି ଅନୁକୂଳ କରେ ଚଷାପୁଅ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟ ୮୫ ପ୍ରତିଶତ ଲୋକଙ୍କ ଜୀବନ ଜୀବୀକା କୃଷି ଉପରେ ନିର୍ଭରଶୀଳ । ଆଉ ସେଥିପାଇଁ ରାଜନୀତିରେ ମଧ୍ୟ ଏହି ଦିନଟିର ଗୁରୁତ୍ୱ ବଢିଯାଇଛି । ରାଜ୍ୟର ଚାଷୀକୂଳକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆୟୋଜନ ହେଉଛି ଅଖିମୁଠି ଅନୁକୂଳ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ପିପିଲିରେ ଅଖିମୁଠି ଅନୁକୂଳ କରିଥିବାବେଳେ ସାଙ୍ଗରେ ଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ସେହିପରି ବିଜେପି ଉପସଭାପତି ସମୀର ମହାନ୍ତି ଓ ଦଳର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି ଆଠଗଡ ଜିଲ୍ଲା ଗୁରୁଡିଝାଟିଆରେ ଅଖିମୁଠି ଅନୁକୂଳ କରିଛନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ରୈଜନୀତିର ଏହି ଅଖିମୁଠି ଅନୁକୂଳ ପରମ୍ପରାରେ ସାମିଲ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାଣିଅରାରେ ବିହନ ବୁଣି ଚାଷ ଅନୁକୂଳ କରିଛନ୍ତି ପ୍ରସାଦ ।

ବୈଶାଖ ଶୁକ୍ଳପକ୍ଷ ତୃତୀୟା । ଏହିଦିନ କୌଣସି କାମକଲେ ତାର କ୍ଷୟ ହୁଏ ନାହିଁ ଆଉ ସେଥିପାଇଁ ଏହାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ସେଥିପାଇଁ ସାରା ରାଜ୍ୟରେ ଆଜି ଚାଷୀକୂଳ କ୍ଷେତରେ ସୁନାର ଫସଲ ଖେଳାଇବାକୁ ବିହନ ଅନୁକୂଳ କରିଛନ୍ତି । କୃଷି ଭିତିକ ଏହି ପର୍ବରେ ଆଜି ସକାଳୁ ଘରେ ଝୋଟି ଚିତା ପକାଇ, କଳସ ବସାଇ ନୂଆ ବସ୍ତ୍ର ପିନ୍ଧିଛନ୍ତି । ଚିତା ଲଗା ସୁସଜ୍ଜିତ ଗଉଣି, ଟୋକେଇରେ ବିହନ ରଖି ତାକୁ ଘରେ ଅନୁକୂଳ କରିବା ପରେ ମୁଣ୍ଡାଇ ନେଇ ଚାଷ ଜମିରେ ବୁଣିଛନ୍ତି । ପରମ୍ପରା ଅନୁଯାୟୀ ଚାଷ ଜମିକୁ ପଂଚାମୃତରେ ସୁଦ୍ଧ କରିବା ପରେ କିଆକନ୍ଦା ପୋତି ମୁଣ୍ଡିଆ ମାରିବା ସହ ଅଖିମୁଠି ଅନୁକୂଳ କରିଛନ୍ତି ।

ବିଗତ କିଛିବର୍ଷ ହେବ ରାଜନୀତିରେ ସ୍ଥାନ ପାଇଛି ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ପର୍ବ । ହେଲେ ଚାଷ ଓ ଚାଷୀଙ୍କ ପାଇଁ ହେଉଥିବା ଉନ୍ନୟମନମୂଳକ ଯୋଜନାକୁ ନେଇ ସବୁବେଳେ ଉଠୁଛି ପ୍ରଶ୍ନ । ରାଜ୍ୟର ଚାଷୀ କୂଳଙ୍କୁ କେଉଁଠି ହକର ଲଢେଇ ଲଢିବାକୁ ପଡୁଛି ତ ପୁଣି କେଉଁଠି ଫସଲ ଉଜୁଡିଯିବା ପରେ ଜୀବନ ହାରି ଦେଉଛି ଚାଷୀ ।