ପଲିଟିକ୍ସ ବନାମ ପ୍ରାଇମ ଟାଇମ, ଜାରି ରହିବ ‘ଠୋକୋ’

36

କନକ ବ୍ୟୁରୋ : ଶପଥ ନେଉ ନେଉ ବିବାଦ ଘେରରେ ସିଦ୍ଧୁ । ରୋକଠୋକ ଶୁଣାଇଦେଲେ କପିଲ ଶର୍ମା ଶୋକୁ ସେ ଛାଡିପାରିବେ ନାହିଁ । ଅର୍ଥାତ ଏହି ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମକୁ ଛାଡିବାର କୈାଣସି ଇରାଦା ତାଙ୍କର ନାହିଁ । ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତାଙ୍କୁ ପଚାରିଥିଲେ, ଆପଣ ପଂଜାବରେ ଥିବା ସମସ୍ୟାକୁ ଦୂର କରିବାକୁ କାମ କରିବେ ନା ଟିଭି ଶୋରେ ଅଧିକ ଧ୍ୟାନ ଦେବେ? ଆଉ ଟିମ ଇଣ୍ଡିଆର ଏହି ପୂର୍ବତନ ଧୁଆଁଧାର ଖେଳାଳି କହିଥିଲେ, ଯେତେବେଳେ ପଂଜାବବାସୀ ୬ ଥର ଜିତାଇଛନ୍ତି ଆଉ ମୋ ଟିଭି କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟାଶୀଳ ହୋଇନାହାଁନ୍ତି, ତେବେ ଆପଣଙ୍କର କଣ ଅସୁବିଧା ହେଉଛି?

ଏହି ମୈାକାକୁ ହାତଛଡା କରିବାକୁ ଚାହିଁନଥିଲେ ବିରୋଧୀ । ତୁରନ୍ତ କହିଥିଲେ, ଯେତେବେଳେ ସିଦ୍ଧୁ ଅମ୍ରିତସରରୁ ସାଂସଦ ଥିଲେ ସେ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେଉନଥିଲେ । ତେଣୁ ୨୦୧୪ରେ ତାଙ୍କୁ ଟିକେଟ ମିଳିନଥିଲା । ୧୯୯୯ ରୁ ୨୦୧୪ ଯାଏଁ ସିଦ୍ଧୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଟିଭି କାର୍ଯ୍ୟକ୍ରମର କୈାଣସି ପ୍ରଭାବ ତାଙ୍କ ଦାୟିତ୍ୱ ଉପରେ ପଡିବନି ବୋଲି ସିଦ୍ଧୁ କହିଛନ୍ତି । ସପ୍ତାହର ଗୋଟିଏ ଦିନ ସେ କପିଲ ଶର୍ମା ଶୋ ପାଇଁ ଯିବେ, ଯାହା ତାଙ୍କ ଆୟର କେବଳ ଏକମାତ୍ର ଅଂଶ ବିଶେଷ । ପୂର୍ବରୁ ବିଜେପି ଏନେଇ କେବେ ଆପତ୍ତି କରିନଥିଲା ବରଂ ତାଙ୍କର ଲୋକପ୍ରିୟ ଶଦ୍ଦ ଠୋକୋ ତାଲିକୁ ସବୁ ରାଲିରେ ବ୍ୟବହାର କରୁଥିଲା । କପିଲ ଶର୍ମା ଶୋରେ ସିଦ୍ଧୁଙ୍କର ଜବରଦସ୍ତ କ୍ରେଜ୍ ରହିଛି । ତାଙ୍କ ସାୟରୀ ଆଉ ଅନ୍ଦାଜ ଶୋ ହିଟର ଆଉ ଏକ ମାଧ୍ୟମ ହୋଇଥିବା ବେଳେ, ବିରୋଧୀ ଏବେ ଏହାକୁ ଟାର୍ଗେଟ କରିଛନ୍ତି ।