ନୟାଗଡକୁ ଟ୍ରେନ ଗଡିଲା, ରାଜନୀତି ବଢିଲା । ଶ୍ରେୟ ନେବାକୁ ଆରମ୍ଭ ହେଲା ପଲିଟିକାଲ ଲଢେଇ

672

କନକ ବ୍ୟୁରୋ : ଆଜି ଠାରୁ ଭୁବନେଶ୍ୱରରୁ ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଶୁଭାରମ୍ଭ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସେବା ଏକ୍ସପ୍ରେସର ଶ୍ରେୟ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବାକବିତଣ୍ଡା ଆରମ୍ଭ ହୋଇଯାଇଛି । ବିଜେଡି ସାଂସଦ ପିନାକୀ ମିଶ୍ର ଏହାର ଶ୍ରେୟ ନବୀନଙ୍କୁ ଦେଇଥିବା ବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ବିକାଶର କଥା ଉଠାଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରତିକ୍ଷାର ଘଟିଲା ଅବସାନ । ଶେଷରେ ଭୁବନେଶ୍ୱରରୁ ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ । ବୁଧବାର ଠାରୁ ସଂଧ୍ୟା ୬ଟା ୪୦ ମିନିଟରେ ଭୁବନେଶ୍ୱରରୁ ବାହାରି ରାତି ୮ଟା ୪୫ ମିନିଟରେ ନୟାଗଡ ପହଂଚିବ ସେବା ଏକ୍ସପ୍ରେସ । ସେହିପରି ନୟାଗଡରୁ ସକାଳ ୬ଟା ୩୦ ମିନିଟରେ ବାହାରି ଭୁବନେଶ୍ୱରରେ ସକାଳ ୯ଟା ପହଂଚିବ । ଏହି ଟ୍ରେନ ଚଳାଚଳକୁ ନେଇ ଯାତ୍ରୀମାନଙ୍କ ଖୁସି କହିଲେ ନ ସରେ ।

ଗୋଟିଏ ପଟେ ଚାଲିଲା ଟ୍ରେନ ଆଉ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଗଲା ରାଜନୀତି । ସେବା ଏକ୍ସପ୍ରେସ ଗଡିବା ପାଇଁ କାହା ପାଖକୁ ଯିବ ଶ୍ରେୟ । ଏହି ପ୍ରଶ୍ନର ଉତର ଖୋଜୁ ଖୋଜୁ, ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଭାଷଣରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିକାଶର କଥା ଉଠାଇ କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବାକୁ ଚେଷ୍ଟା କରିଥିଲେ । ସମାନ ମଂଚରେ ଉପସ୍ଥିତ ବିଜେଡି ସାଂସଦ ପିନାକୀ ମିଶ୍ର ନବୀନଙ୍କୁ ଦେଇଥିଲେ ଶ୍ରେୟ । କହିଥିଲେ, ଏହି ରେଳପଥ ନିର୍ମାଣ ପାଇଁ ମାଗଣାରେ ଜାଗା ଯୋଗାଇବାରେ ରାଜ୍ୟ ସରକାରଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଆଜି ନୂଆ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ସେବା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏସବୁ ଭିତରେ ଟ୍ରେନ ଗଡିବାକୁ ନେଇ ରାଜନୀତିର ପବନ ବି ବୋହିଛି । ତେବେ ସେ ଯାହା ହେଉନା କାହିଁକି ନୟାଗଡବାସୀ କିନ୍ତୁ ଏହି ବହୁ ପ୍ରତିକ୍ଷିତ ଟ୍ରେନ ସେବା ଆରମ୍ଭ ହେବାକୁ ନେଇ ଖୁସି ଜାହିର କରିଛନ୍ତି ।