ଜୁଏଲ ମନା କରିଦେଲେ, ମୋଦିଙ୍କୁ ଅପେକ୍ଷା ! ଆଇଜିଏଚ୍ ହସ୍ପିଟାଲ ପାଇଁ ୧୬୦୦ କିଲୋମିଟର ଚାଲି ଚାଲି ଦିଲ୍ଲୀରେ ପହଞ୍ଚିଲେ ରାଉରକେଲାର ମୁକ୍ତିକାନ୍ତ

50

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀ ପୋଲ ଓ ଆଇଜିଏଚ୍ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ଆଜି ପହଂଚିଛନ୍ତି ରାଉକେଲାର ମୁକ୍ତିକାନ୍ତ ବିଶ୍ୱାଳ । ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ସେ ଆଜି ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । ଆଉ ଯଦି ପ୍ରଧାନମନ୍ତ୍ରୀ ସମୟ ନଦିଅନ୍ତି ଦେବେ ଦିଲ୍ଲୀରେ ଧାରଣା ଦେବେ ବୋଲି କହିଛନ୍ତି ରାଉକେଲାର ମୁକ୍ତିକାନ୍ତ ବିଶ୍ୱାଳ ।

ସଭାରେ ପ୍ରଧାନମନ୍ତ୍ରୀ ଦେଉଥିବା ପ୍ରତିଶ୍ରୁତି ଏବଂ ତାକୁ ନେଇ ବଡ ବଡ ସ୍ୱପ୍ନ ଦେଖାଉଥିବା ଦଳୀୟ ନେତା ଯେତେବେଳେ ନିଜ ରଖିଥିବା କଥାକୁ ଭୁଲି ଯାଆନ୍ତି-ହୁଏତ, ସେତେବେଳେ ପ୍ରତିବାଦ କରିବାକୁ ଯାଇ ଏଭଳି ଭାବେ ଜଣେ ଯୁବକକୁ ରାଉରକେଲାରୁ ଦିଲ୍ଲୀ ପାଦରେ ଚାଲି ଚାଲିଯିବାକୁ ହୁଏ । ଆଉ ବହୁ କଷ୍ଟରେ ଯେତେବେଳେ ଦିଲ୍ଲୀରେ ପହଂଚି ଚାହାଁନ୍ତି ତାଙ୍କୁ କିଭଳି ଉତର ମିଳେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ସ୍ଥାନୀୟ ସାଂସଦ ଭାବରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ସହଯୋଗ କରିବା ପରିବର୍ତେ ଶୁଣିବାକୁ ମିଳେ, ରାଜନୈତିକ ଉର୍ଦ୍ଦେଶ୍ୟ ପ୍ରଣୋଦିତ ଜଣେ ମୋହରାର ଆଖ୍ୟା । ସୁନ୍ଦରଗଡ଼ର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ କହୁଛନ୍ତି-ରାହୁଲ ଗାନ୍ଧୀଙ୍କ ପ୍ରରୋଚନାରେ ରାଉରକେଲାର ମୁକ୍ତାକାନ୍ତ ବିଶ୍ୱାଳ ଏଭଳି କରୁଛନ୍ତି । ଆଉ ପ୍ରସଙ୍ଗକୁ ଆଡେଇ ଯିବା ଉର୍ଦ୍ଦେଶ୍ୟରେ ପୁଣି ସେହି ପ୍ରତିଶ୍ରୁତି ଦେଉଛନ୍ତି ଯାହା ପ୍ରାୟ ୪ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଦେଖା କରାଇ ପାରିବେ ନାହିଁ ରୋକଠୋକ ଭାବେ କହିଥିଲେ ଜୁଏଲ । ହେଲେ ଜୁଏଲ ଓରାମଙ୍କଠାରୁ ଏଭଳି ନିରୁତ୍ସାଜନକ ଉତର ମିଳିବା ପରେ ବି ଭାଙ୍ଗି ପଡ଼ି ନାହାଁନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ବରଂ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିଛନ୍ତି । ଆଉ କହୁଛନ୍ତି-୨-୩ ଦିନ ଅପେକ୍ଷା କରିବେ ନହେଲେ ଧାରଣାରେ ବସିବେ ।

ଯେତେବେଳେ ଏହି ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ, ଫେସବୁକରେ ଏକ ଲମ୍ବା ଚୌଡ଼ା ସ୍ପଷ୍ଟିକରଣ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ଆଜି ଯେତେବେଳେ ଦାୟିତ୍ୱ ନେବାର ସମୟ ଆସିଛି, ଖୋଦ୍ ନିଜ ଦଳର ମନ୍ତ୍ରୀ ହାତ ଟେକି ଦେଉଛନ୍ତି । ଏପଟେ ରାଉରକେଲାର ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ସେହି ପ୍ରସଙ୍ଗ ନେଇ ଫେସବୁକରେ ଲେଖିଛନ୍ତି-ପୋଲ ନିର୍ମାଣର ଗତି ଦେଖି ମର୍ମାହତ । କାମ ଆରମ୍ଭକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ପିଲିଂ କାମ ମାତ୍ର ୨୦ଫୁଟ୍ ହୋଇଛି । ଏପଟେ ଏନଏଚଏଆଇ ରଖିଛି ଲମ୍ବା ସଫେଇ । ଏନଏଚଏଆଇ ପକ୍ଷରୁ କୁହାଯାଇଛି କାମ ଆରମ୍ଭ ହୋଇସାରିଛି । ଏବଂ ୨୦୨୦ ନଭେମ୍ବର ସୁଦ୍ଧା ଏହା ଶେଷ ହେବ ।

ଏପ୍ରିଲ ୧ରେ ସିନା ପ୍ରଧାନମନ୍ତ୍ରୀ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଏବଂ ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବାର ପ୍ରତିଶ୍ରୁତି ଦେଇ ହୁଏତ ଭୁଲି ଗଲେ, ହେଲେ ଏହାକୁ ଭୁଲି ନଥିଲେ ରାଉକେଲା ବାସିନ୍ଦା । ଆଉ ଯେତେବେଳେ ଦାବି ପୁରଣ ହୋଇନଥିଲା,ଏକ ଲମ୍ବା ଯାତ୍ରା ଆରମ୍ଭ କରିଥିଲେ ମୁକ୍ତିକାନ୍ତ । ରାଉରକେଲାରୁ ଦିଲ୍ଲୀ ଦୀର୍ଘ ୧୫୩୮ କିଲୋମିଟରର ରାସ୍ତା । ଏପ୍ରିଲ ୧୬ ତାରିଖରୁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିଲେ ମୁକ୍ତିକାନ୍ତ । ହାତରେ ତିରଙ୍ଗା ଧରି ଓଡିଶାରୁ ଝାଡଖଣ୍ଡ, ବିହାର, ଉତରପ୍ରଦେଶ, ହରିଆଣା ଦେଇ ଦିଲ୍ଲୀରେ ପହଂଚିଛନ୍ତି । ଆଉ ଏହାରି ଭିତରେ ଆଗ୍ରାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । କିନ୍ତୁ ଯଦି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ନ ମିଳେ ତେବେ ଅନଶନରେ ବସିବେ ବୋଲି ଚେତାଇ ଦେଇଛନ୍ତି ।