ମୋଦି, ମହାନଦୀ ଓ ମନ୍ କି ବାତ୍ ! ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଉଷୁମ ହେଲା ରାଜ୍ୟ ରାଜନୀତି

49

କନକ ବ୍ୟୁରୋ : ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ବଢିବାରେ ଲାଗିଛି । ବିଜେଡି କହିଛି, ମହାନଦୀକୁ ନେଇ ମୋଦି, ନିଜର ଆଭିମ୍ରୁଖ୍ୟ ସ୍ପଷ୍ଟ କରିବା ଦରକାର । ସେପଟେ କଂଗ୍ରେସ ମଧ୍ୟ ଅନୁରୁପ ଦାବି କରିଛି । ତେବେ ମୋଦି ଏହି ଗସ୍ତରେ କେବଳ ୪ବର୍ଷର ହିସାବ ଦେବେ ବୋଲି ବିଜେପି ସ୍ପଷ୍ଟ କରିଛି ।

ଦୁଇ ବର୍ଷ ତଳେ ବାଲେଶ୍ୱରରେ ବିଜେପିର ବିକାଶ ଉତ୍ସବରେ ମୋଦିଙ୍କ ଭାଷଣ ବିଜେପି କର୍ମୀଙ୍କୁ ବେଶ ଉତ୍ସାହିତ କରିଥିଲେ । ଯେଉଁଠି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏପରିକି ବିଜେପି ସରକାର ଯେଉଁଠି ବିକାଶ ସେଇଠି ବୋଲି ବାର୍ତା ଦେଇଥିଲେ ମୋଦି । କିନ୍ତୁ ଏବେ ସମୟ ବଦଳିଛି । ମୋଦିଙ୍କ କଟକ ଗସ୍ତକୁ ନେଇ ରାଜନୀତି ପାଣିପାଗ ଉଷୁମ ହେଉଛି । ଏହି ଗସ୍ତ ପୂର୍ବରୁ ମହାନଦୀ ପ୍ରସଙ୍ଗ ଉଠାଇ ଘେରିଛନ୍ତି ବିଜେଡି ଓ କଂଗ୍ରେସ । ଓଡ଼ିଶାର ଲାଇଫ୍ ଲାଇନ କୁହାଯାଉଥିବା ମହାନଦୀ ପାଣିକୁ ଅଟକାଇ ଦେଇଛି ଛତିଶଗଡ଼ର ବିଜେପି ସରକାର । ବିରୋଧୀ ଦାବି କରିଛନ୍ତି ମୋଦି ଅନ୍ୟ ସମସ୍ୟା ଉପରେ ଯେପରି ମନ କି ବାତ କରୁଛନ୍ତି ଓଡ଼ିଶାରେ ମଧ୍ୟ ମହାନଦୀ ପ୍ରସଙ୍ଗରେ ମନ୍ କୀ ବାତ୍ କୁହନ୍ତୁ ପ୍ରଧାନମନ୍ତ୍ରୀ ।

କର୍ଣ୍ଣାଟକ ନିର୍ବାଚନ ପରେ ବଦଳୁଛି ଜାତୀୟ ରାଜନୈତିକ ସମୀକରଣ । ଏଭଳି ସ୍ଥିତିରେ କ’ଣ କହିବେ ମୋଦି, ଏହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ, ଆଗକୁ ରହିଛି ୨୦୧୯ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଅପ୍ୟପଟେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ନବୀନ ସରକାରଙ୍କ ଉପରେ ମୋଦିଙ୍କର କଣ ଆଭିମୁଖ୍ୟ ରହିବ ତାହା ଏବେ ବେଶ୍ ଗୁରୁତ୍ୱ ରଖୁଛି ।