ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ! ଶକ୍ତି ପ୍ରଦର୍ଶନ କଲେ ବିରୋଧୀ ।

176

କନକ ବ୍ୟୁରୋ : ପୁଣି ଥରେ ଶକ୍ତି ପ୍ରଦର୍ଶନ କଲା ବିିଜେପି ବିରୋଧୀ ମହାମେଂଟ । ଆଜି ୩ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଠି ହୋଇଛନ୍ତି ବିରୋଧୀ । ସେପଟେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ରାଜନୀତିରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଶିବରାଜ ସିଂ ଚୌହାନ ଯୋଗ ଦେଇଛନ୍ତି ।

ବିଜେପି ବିରୋଧୀ ମହାମେଂଟର ଶକ୍ତି ପ୍ରଦର୍ଶନ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଛନ୍ତି ବିଜେପି ବିରୋଧୀ ମହାମେଂଟର ନେତା । କର୍ଣ୍ଣାଟକରେ ଡେଜିଏସ ସହ ମେଂଟ କରି ସରକାର ଗଢିଥିଲା କଂଗ୍ରେସ । କିନ୍ତୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଏକାକି ସରକାର ଗଠନ କରିବାରେ ସଫଳ ହୋଇଛି କଂଗ୍ରେସ । ଫଳରେ ଦଳକୁ ନେଇ ଲୋକଙ୍କ ଗ୍ରହଣୀୟତା ବଢିଥିବା ଦେଖିବାକୁ ମିଳିଛି । ଏହାସହ ବିଜେପି ବିରୋଧୀ ମହାମେଂଟ ୨୦୧୯ରେ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବ ବୋଲି ମହାମେଂଟ ନେତାଙ୍କ ମଧ୍ୟରେ ଆଶା ମଧ୍ୟ ସଂଚାର ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, କଂଗ୍ରେସ ନେତା ଦିଗବିଜୟ ସିଂ ଓ ମଲ୍ଲିକାର୍ଜନ ଖଡଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଏନସିପି ମୁଖ୍ୟ ଶରଦ ପୱାର ଓ ଅନ୍ୟାନ୍ୟ ନେତା ସାମିଲ ହୋଇଛନ୍ତି । ସେପଟେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଭିନ୍ନ ଏକ ରାଜେନୈତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ଧରି ଶାସନରେ ରହିଥିବା ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଶିବରାଜ ସିଂ ଚୌହାନ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ଏବଂ ବିରୋଧୀଙ୍କ ବିଜୟରେ ଖୁସି ଜାହିର କରିଥିଲେ ।

ସେପଟେ ବିଜେପି ବିରୋଧୀ ମହାମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥି ପାଇଁ ରାହୁଲ ଗାନ୍ଧୀଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ଡିଏମକେ ମୁଖ୍ୟ ଏମ୍.କେ ଷ୍ଟାଲିନ । ମୋଦିଙ୍କୁ ହରାଇବାର କ୍ଷମତା ରାହୁଲ ଗାନ୍ଧୀଙ୍କଠାରେ ରହିଛି ବୋଲି ଷ୍ଟାଲିନ କହିଛନ୍ତି । ତେଣୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ସମସ୍ତେ ବିରୋଧି ଦଳ ଏକାଠି ହେବାର ସମୟ ଆସିଛି ବୋଲି ଷ୍ଟାଲିନ କହିଛନ୍ତି । ସେପଟେ ଏହି ପ୍ରସ୍ତାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ପ୍ରସ୍ତାବିତ ମହାମେଂଟର ଅନ୍ୟାନ୍ୟ ଦଳ ଷ୍ଟାଲିନଙ୍କ ସହ ଏକମତ ନଥିବା ଚର୍ଚ୍ଚା ହେଉଛି । ଏହି ନିଷ୍ପତି ବହୁ ତରବରିଆ ଭାବେ ନିଆଯାଉଛି । ପ୍ରଥମେ ଲୋକସଭା ନିର୍ବାଚନର ଫଳାଫଳ ଆସୁ, ତାପରେ ପ୍ରଧାନମନ୍ତ୍ରୀ ପଦ ନେଇ ନିଷ୍ପତି ନିଆଯିବ ବୋଲି ମହାମେଂଟର ନେତା କହିଛନ୍ତି ।