ଯୁବକଙ୍କ କଥା ମନେ ପଡିଲା ! ତାଲା ପକାଇବ ବିଜେପି, ଆନ୍ଦୋଳନ କରିବ ବିଜେଡି

ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । କାଲି ଏମ୍ପଲୟମେଂଟ୍ ଏକ୍ସଚେଂଜରେ ତାଲା ପକାଇବ ବିଜେପି, ପିଏସୟୁ ଆଗରେ ୩ଦିନ ଧରି ଆନ୍ଦୋଳନ କରିବ ବିଜେଡି

181

କନକ ବ୍ୟୁରୋ : ରାଜ୍ୟରେ କିଏ ଦେଇଛି କେତେ ଚାକିରି? ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଏହି ପ୍ରସଙ୍ଗକୁ ନେଇ ରାଜନୀତି ସେତିକି ବଢିବାରେ ଲାଗିଛି । ଖାସକରି ବେକାରୀ ସମସ୍ୟା ଓ ନିଯୁକ୍ତିକୁ ନେଇ ଏବେ ଜୋର ଧରିଛି ରାଜନୀତି । ଦୀର୍ଘଦିନ ପରେ ରାଜ୍ୟର ଯୁବଗୋଷ୍ଠୀଙ୍କ କଥା ମନେପଡିଛି ଉଭୟ ବିଜେଡି ଓ ବିଜେପିର । ବେକାରୀ ସମସ୍ୟାକୁ ପ୍ରସଙ୍ଗ କରି ବିଜେପି ଆସନ୍ତାକାଲି ରାଜ୍ୟର ସମସ୍ତ ଏମ୍ପଲୟମେଂଟ ଏକ୍ସଚେଂଜକୁ ତାଲା ପକାଇବ ବୋଲି ଆହ୍ୱାନ ଦେଇଥିବାବେଳେ ଓଡିଶାର ଯୁବଶକ୍ତିକୁ ସୁଯୋଗ ନଦେଇ ପ୍ରତାରଣ କରୁଥିବାରୁ ଏହାର ପ୍ରତିବାଦରେ ସମସ୍ତ ପିଏସୟୁ ସମ୍ମୁଖରେ ତିନି ଦିନ ବ୍ୟାପି ଆନ୍ଦୋଳନ କରିବ ବିଜେଡି ।

ଗଲା ୧୮ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବଢିଛି ଓ ଓଡିଆ ଯୁବକ ଯୁବତୀଙ୍କୁ ପ୍ରତାରିତ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି ।ଯେଉଁଠି ଯୁବକ ମାନଙ୍କୁ ଚାକିରୀ ମିଳୁନାହିଁ ସେଠାରେ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜର ଆବଶ୍ୟକତା କଣ ରହିଛି ବୋଲି ବିଜେପି କହିଛି । ତେଣୁ ଏହି ବିଭାଗରେ ତାଲା ପକାଇବାକୁ ଅଣ୍ଟା ଭିଡିଛି ବିଜେପି । ନିଯୁକ୍ତି ଦେବା ବଦଳରେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନାଁରେ ଯୁବକ ମାନଙ୍କୁ ବିଜେଡି ଗୁଣ୍ଡା ସଜାଉଛି ବୋଲି କହିଛି ବିଜେପି । ନିଯୁକ୍ତି ଦେବା ବଦଳରେ କେବଳ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛି ବିଜେଡି ।

ଅନ୍ୟପଟେ ନିଯୁକ୍ତି ଓ ବେକାରୀ ସମସ୍ୟାକୁ ନେଇ ବିଜେପିକୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହିଁ ବିଜେଡି । କେନ୍ଦ୍ର ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାୟୀ, ବାର୍ଷିକ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବା କଥା । ଏହି ହିସାବରେ ସାଢେ ୪ ବର୍ଷ ସରକାରରେ ମୋଟ ୯ କୋଟି ଯୁବକଙ୍କୁ ନିଯୁକ୍ତି ଦେବା କଥା । ସେହି ହିସାବରେ ଓଡିଶାର ୩୬ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବା କଥା । କିନ୍ତୁ ଓଡିଶାରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗରେ କେତେ ଜଣ ଓଡିଆଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ତାହାର ହିସାବ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ବିଜେଡି କହିଛି । କିନ୍ତୁ ଏଭଳି ସମୟରେ ଦକ୍ଷତା ବିକାଶ କ୍ଷେତ୍ରରେ ୯ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେଇଛନ୍ତି ରାଜ୍ୟ ସରକାର ଏବଂ ସେଥିପାଇଁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମଧ୍ୟ ପୁରସ୍କୃତ କରିଛନ୍ତି ।

ତେବେ ଗୋଟିଏ ପଟେ କେନ୍ଦ୍ର ସରକାର ନିଯୁକ୍ତି ପ୍ର୍ରସଙ୍ଗରେ ଯୁବକ ମାନଙ୍କୁ ମିଛ କହିଥିବା ବେଳେ ଏହାକୁ ପ୍ରସଙ୍ଗ କରି ଆସନ୍ତା ୫,୬ ଓ ୮ ତାରିଖ ତିନିଦିନ ବ୍ୟାପି ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଓ ପ୍ଲାଣ୍ଟ ନିକଟରେ ବିକ୍ଷୋଭ କରିବ ବିଜେଡି । ତେବେ ହଠାତ୍ ଯୁବକଙ୍କ ପାଇଁ ଏତେ ଦରଦ ଉଭୟ ବିଜେଡି ଓ ବିଜେପିର କେଉଁଠୁ ଆସିଲା । କାହିଁକି ଯୁବକଙ୍କ କଥା ମନେ ପକାଇଲେ ବିଜେଡି ଓ ବିଜେପି । ଏହା ପଛର ବଡ କାରଣ ହେଉଛି ୨୦୧୯ ନିର୍ବାଚନ ।

ନିର୍ବାଚନ ପୂର୍ବରୁ ଯୁବକଙ୍କ କଥା ମନେପଡିବା ରାଜନୈତିକ ଦଳ ପାଇଁ କିଛି ନୂଆ କଥା ନୁହେଁ । ଏବେ ପୂରା ରାଜ୍ୟରେ ଯୁବ ଭୋଟର ଅଧିକ ରହିଛନ୍ତି । ଏଭଳି ପରିସ୍ଥିତିରେ ଏହି ଭୋଟବ୍ୟାଙ୍କକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ଯୁବକଙ୍କ ହକର ଲଢେଇରେ ସାମିଲ ହେବାକୁ ଅଣ୍ଟା ଭିଡିଛନ୍ତି ଦୁଇ ଦଳ । କିନ୍ତୁ ଯୁବକଙ୍କୁ ଏହାଦ୍ୱାରା ମିଳିବ କଣ  । କେବଳ ପୂର୍ବଭଳି ମାଳ ମାଳ ପ୍ରତିଶୃତି । ନିଯୁକ୍ତି ଓ ବେକାରୀ ପ୍ରସଙ୍ଗରେ ଦୁଇ ଦଳ ପକ୍ଷରୁ ଲଢେଇ ଲଢିବାକୁ ଯେଉଁ ପ୍ରସ୍ତୁତି କରାଯାଉଛି ସେଥିରେ ଯୁବକ ମାନେ କେତେ ସାଥ୍ ଦେବେ ଏବଂ ଏହା ଆଗାମୀ ନିର୍ବାଚନରେ କେଉଁ ଦଳକୁ ଫାଇଦା ଦେବ ତାହା ଦେଖିବା ବାକି ରହିଲା ।