ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନକୁ ନେଇ ରାଜନୀତି । ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କଲେ ବିଧାୟିକା କୁସୁମ ଟେଟେ । ବିଜେଡି ବିଧାୟିକା କହିଲେ ଲୋକଙ୍କ ଅଭିଯୋଗ ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ

1,323

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓଙ୍କ ନିଲମ୍ବନକୁ ବିରୋଧ କରି ସୁନ୍ଦରଗଡ ବିଜେପି ପକ୍ଷରୁ ବନ୍ଦ୍ ପାଳନ କରାଯାଉଛି ।  ନିଷ୍ପତି ପ୍ରତ୍ୟାହାର ଦାବିରେ ସହରରେ ୧୨ ଘଂଟିଆ ବନ୍ଦ ପାଳନ କରୁଛି ସୁନ୍ଦରଗଡ ଜିଲ୍ଲା ବିଜେପି ।  ବନ୍ଦ ଯୋଗୁଁ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତେବେ ସ୍କୁଲ, କଲେଜ ଓ ମେଡିକାଲକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି । ପରିସ୍ଥିତିକୁ ନଜରରେ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁଲ ନିଷ୍ପତି କ୍ରମେ ସିଡିଏମଓଙ୍କୁ ନିଲମ୍ବନ କରାଯାଇଛି ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଏହା ସହ ଗତକାଲି ସୁନ୍ଦରଗଡ ଯାଇଥିବା ଫାଇଭ୍-ଟି ସଚିବଙ୍କ ସମେତ ତିନି ଜଣଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଫାଇଭ୍-ଟି ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଏନଆର୍ଏଚଏମ ନିର୍ଦେଶିକାଙ୍କ ଗସ୍ତବେଳେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ରୋଗୀମାନେ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ଗତକାଲି ସିଡିଏମଓଙ୍କୁ ନିଲମ୍ବନ କରିଥିଲେ । ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଥିଲେ ।

ସେପଟେ, ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କଲେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏନେଇ ସେ ଦାବିପତ୍ର ମଧ୍ୟ ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଥିବା ବେଳେ ଜଣେ ଭଲ ଡାକ୍ତରଙ୍କୁ ସରକାର କାହିଁକି ନିଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିିଛନ୍ତି ବିଧାୟିକା । ଏଥିସହ ନିଲମ୍ବିତ ସିଡିଏମଓଙ୍କ ସପକ୍ଷ ନେଇ କହିଛନ୍ତି ଗରିବ ଲୋକଙ୍କୁ ସେ ମାଗଣାରେ ଚିକିତ୍ସା କରୁଥିଲେ, ତାଙ୍କର ବାହାରେ କ୍ଲିନିକ ମଧ୍ୟ ନାହିଁ ।

ସିଡିଏମଓଙ୍କୁ କାରଣ ଦର୍ଶାଅ ନୋଟିସ ନପଠାଇ କାହିଁକି ନିଲମ୍ବନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କୁସୁମ ଟେଟେ । ଏଥିସହ ବିଧାୟିକା କହିଛନ୍ତି ସୁନ୍ଦରଗଡରେ ବିଜେପି ବିକ୍ଷୋଭ କରିନାହିଁ । ଏ ଆନ୍ଦୋଳନ ସାଧାରଣ ଲୋକଙ୍କର । ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫାଇଭ୍ ଟି ଏକ ଭଲ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ଫାଇଭ ଟି ସଚିବ ସଠିକ ଭାବେ ତୁଳାଇଥିବା କହିଛନ୍ତି ଲତିକା ପ୍ରଧାନ ।

ସେପଟେ ସୁନ୍ଦରଗଡ ସିଡିଏମଓଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ନେବା ପୂର୍ବର୍ରୁ ସରକାରଙ୍କ ଭିତ୍ତିଭୂମି ସେଠାରେ ଠିକ୍ ଥିଲା କି ନାହିଁ ପ୍ରଥମେ ସଚିବ ଅନୁଧ୍ୟାନ କରୁନ୍ତୁ । କେବଳ ଡାକ୍ତରଖାନା ଓ ଡକ୍ଟରଙ୍କୁ ଦୋଷ ଦେଇ ଲାଭ କଣ । ଭିତିଭୂମି କେତେଦୂର ତିଆରି କରିଛନ୍ତି ସରକାର ପ୍ରଥମେ ତାକୁ ଦେଖୁଛନ୍ତି । ୨୦ ବର୍ଷ ସରକାର କାହିଁକି ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ କ୍ଷେତ୍ରରେ ଅବହେଳାକୁ ଉପଲବ୍ଧି କରିନଥିଲେ ତାର ଉତର ଦିଅନ୍ତୁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।