କ୍ରୀଡ଼ା ଓ କଳା ବିବାଦ ଭିତରେ ପଶିଲା ରାଜନୀତି ! ସୋସିଆଲ ମିଡ଼ିଆରେ କଳାକାରଙ୍କ ସପକ୍ଷରେ ବାହାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

40

କନକ ବ୍ୟୁରୋ : କଳା ଓ କ୍ରୀଡ଼ା ଭିତରେ ପଶିଲା ରାଜନୀତି । କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ କ୍ରୀଡ଼ା ବିଭାଗ, ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଉ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି- କଳିଙ୍ଗ ଷ୍ଟୁଡିଓ ସହ ରାଜ୍ୟର କଳାକାର ଏବଂ କଳାପ୍ରେମୀଙ୍କ ଭାବାବେଗ ଜଡିତ ରହିଛି । ଏହି ଷ୍ଟୁଡିଓ ଓଡ଼ିଆ କଳା ଜଗତ ପାଇଁ ଏକ ଆତ୍ମପରିଚୟ ।

dharmenrda pradhan tweet

 

ତେଣୁ ଏହାକୁ ନୂଆ ରୁପରେ ଗଢ଼ି ତୋଳିବା ପାଇଁ ବ୍ୟକ୍ତିଗତ ଭାବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଆଲୋଚନା କରିବି ବୋଲି ଟ୍ୱିଟରରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର ଏହି ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ ଅନୁରୋଧ କରିବି ବୋଲି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି । ଓଡ଼ିଆ ସିନେମାର ଏନ୍ତୁଡ଼ିଶାଳ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ଉପରେ ପଡିଛି କ୍ରୀଡ଼ା ବିଭାଗର ଆଖି । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ ଚାହୁଁଛି କ୍ରୀଡ଼ା ବିଭାଗ । ଏନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛନ୍ତି କ୍ରୀଡ଼ା ସଚିବ । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । କଳିଙ୍ଗ ଷ୍ଟୁଡିଓକୁ ପୁର୍ନଉଦ୍ଧାର ନକରି କ୍ରୀଡ଼ା ବିଭାଗକୁ ଦେବାକୁ ଉଦ୍ୟମ ହେଲେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସିନେ କଳାକାର ସଂଘ ।