ନବୀନ ନିବାସରେ ନେତାଙ୍କ ମଧ୍ୟାହ୍ନ ଭୋଜନ : ନବୀନଙ୍କ ସମେତ ଗୋଟିଏ ଟେବୁଲରେ ଏକାଠି ଖାଇଲେ, ଶାହା, ମମତା, ନୀତିଶ ଓ ଧର୍ମେନ୍ଦ୍ର . . . . ଖାଇବା ଥାଳିରେ କ’ଣ ହେଲା ଚର୍ଚ୍ଚା ତାକୁ ନେଇ ଆକଳନ

404

କନକ ବ୍ୟୁରୋ : ଗୋଟିଏ ଟେବୁଲରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଆଉ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବାଂଚଳ ପରିଷଦ ବୈଠକ ପରେ ନବୀନ ନିବାସରେ ଅତିଥିମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରୁଥିଲେ ମୁଖ୍ୟମନ୍ତ୍ରୀ । ଆଉ ପରଶା ଯାଇଥିଲା ଓଡିଆ ଖାଦ୍ୟ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ନେତା ଏପରି ଏକାଠି ଭୋଜନ କରିବା କିଛି ଭିନ୍ନ ବାର୍ତା ବହନ କରୁଥିଲା । ସିଏଏ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମମତା ବାନାର୍ଜୀ ଯେତେବେଳେ କେନ୍ଦ୍ର ବିରୋଧରେ କଠୋର ଆଭିମୁଖ୍ୟ ରଖୁଛନ୍ତି, ସିଧାସଳଖ ଅମିତ ଶାହାକୁ ଆକ୍ଷେପ କରୁଛନ୍ତି, ସେତେବେଳେ ଖାଇବା ଟେବୁଲରେ ଦୁହିଁଙ୍କୁ ବସାଇବାରେ ସଫଳ ହୋଇଛନ୍ତି ନବୀନ । ଯାହାକି ଏକ ଭିନ୍ନ ଦିଗ ପ୍ରତି ଇଂଗିତ କରୁଛି ।

ନବୀନ, ଶାହା, ମମତା, ନୀତିଶ ଓ ଧର୍ମେନ୍ଦ୍ରଙ୍କ ଏକାଠି ମଧ୍ୟାହ୍ଣ ଭୋଜନ । ଏହା ଏପରି ଏକ ଦୃଶ୍ୟ ଯାହା ଭାରତୀୟ ରାଜନୀତିରେ କ୍ୱଚିତ ଦେଖାଯାଏ । କାରଣ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ପ୍ରତିଦ୍ୱନ୍ଦିତା ଭିତରେ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିବା ବିରଳ ।

ଅବସର ଥିଲା, ପୂର୍ବାଂଚଳ ପରିଷଦ ବୈଠକ ପରେ ନବୀନ ନିବାସରେ ଅତିଥିମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରୁଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ସମେତ ଗୋଟିଏ ଟେବୁଲରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରି ମଧ୍ୟାହ୍ନ ଭୋଜନ ପଛରେ ଥିବା ସମ୍ଭାବ୍ୟ ରାଜନୈତିକ ଗୋଲକଧନ୍ଦାକୁ ଯିବା ପୂର୍ବରୁ ପ୍ରଥମେ ନଜର ପକାଇବା କ’ଣ ଥିଲା ଏହି ହାଇପ୍ରୋଫାଇଲ ମଧ୍ୟାହ୍ନ ଭୋଜନର ମେନୁ ।

ଅତିଥିମାନଙ୍କୁ ପରସା ଯାଇଥିଲା ଓଡିଆ ଖାଦ୍ୟ । ସୂଚନା ଅନୁସାରେ ଭାତ, ଡାଲି, ଆଳୁ-ମଟର ମସଲା, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ଼, ରସମଲାଇ ରହିଥିଲା ଖାଇବା ଥାଳିରେ । ମାଛ ବେସର ବି ଏହି ମଧ୍ୟାହ୍ନ ଭୋଜନରେ ପରସା ଯାଇଥିଲା ।