ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ତେଜିଲା ରାଜନୀତି ! ନବୀନଙ୍କ ଚିଠିର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ ଗଡକରୀ

29

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ରାଜନୀତି ତେଜିଛି । ଏ ନେଇ ନବୀନଙ୍କ ପତ୍ରର ଉତ୍ତର ରଖିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ପତ୍ରରେ ସେ ଲେଖିଛନ୍ତି, ପୋଲ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ପୂରଣ ହେବା ସହ ଜୁନ ଶେଷସପ୍ତାହ ସୁଦ୍ଧା ନିର୍ମାଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ପ୍ରକଳ୍ପର ଗୁରୁତ୍ୱ ଦୃଷ୍ଟିରୁ ସମସ୍ତ କାମକୁ ୨ ଭାଗରେ ବିଭକ୍ତ କରାଯାଇଥିବା ଗଡକରି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏଥିପାଇଁ ସେ ନିଜେ ଏହା ଉପରେ ନଜର ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଗଡକରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଦିଲ୍ଲୀପ ରାୟ ତାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ଯୋଜନା କରାଯାଇଥିବା ୨ ଲେନ ପ୍ରକଳ୍ପ ସଂପୃକ୍ତ ଅଂଚଳର ଟ୍ରାଫିକ ତଥା ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଏହି ନେତା କହିଥିଲେ ।

ଏହି ଅନୁସାରେ ପ୍ରକଳ୍ପକୁ ୬ ଲେନ ବିଶିଷ୍ଟ କରିବା ଓ ବୀରମିତ୍ରପୁର ଯାଏଁ ରାସ୍ତାକୁ ୪ ଲାଇନ ବିଶିଷ୍ଟ କରିବାକୁ ସେ ତାଙ୍କ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଡକରି ଆହୁରି ଲେଖିଛନ୍ତି, ପ୍ରକଳ୍ପ ପାଇଁ ଟେଣ୍ଡର ଡକା ସରିଛି ଓ ଜୁନ ୧୨କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଚଳିତ ମାସ ୨୪ ତାରିଖରେ ବ୍ରାହ୍ଣଣୀ ନଦୀରେ ଦ୍ୱିତୀୟ ପୋଲ ନେଇ ଗଡକରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।