ନବୀନ କହିଲେ,ଧର୍ମେନ୍ଦ୍ର ବର୍ଷିଲେ । ପ୍ରସଙ୍ଗ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

କେଉଁ ଯୋଜନାରେ ଫାଇଦା ବେଶି ଆଉ କେଉଁଥିରେ କମ୍ ? ତେଜିଲା ସ୍ୱାସ୍ଥ୍ୟ ଯୋଜନା ରାଜନୀତି । ମାଗଣା ସ୍ୱାସ୍ଥ୍ୟ ସେବା ମାମଲାରେ ମୁହାଁମୁହିଁ ହେଲେ ନବୀନ ଓ ଧର୍ମେନ୍ଦ୍ର । ନବୀନଙ୍କୁ ପୁଣି ସମାଲୋଚନା କଲେ ଧର୍ମେନ୍ଦ୍ର ।

94

କନକ ବ୍ୟୁରୋ: ତେଜିଲା ସ୍ୱାସ୍ଥ୍ୟ ଯୋଜନା ରାଜନୀତି । ମାଗଣା ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ମୁହାଁମୁହିଁ ହେଲେ ନବୀନ ଓ ଧର୍ମେନ୍ଦ୍ର । ଗତ କିଛି ଦିନ ତଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆପତ୍ତି ଉଠାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ପଦଯାତ୍ରା ଅବସରରେ କଡ଼ା ଜବାବ ଦେଇଥିଲେ ନବୀନ । ଏହାପରେ ପୁଣି ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୂଳ ପ୍ରଶ୍ନର ଉତ୍ତର ନ ଦେଇ କାହିଁକି ଓଡିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ? 

ରୋଗ, ଦୁର୍ଘଟଣା, ଏପିଏଲ ବା ବିପିଏଲ ପଚାରି ଆସେ ନାହିଁ, ଏହା ସମସ୍ତେ ଜାଣିଛନ୍ତି । ମାତ୍ର ମାନ୍ୟବରଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁଠୁ ଯୋଗ୍ୟ ବିପିଏଲ ଥିଲେ କଟକର ମେୟର ଓ ବିଧାୟକମାନଙ୍କ ପରିବାର ବୋଲି କହି ପୁରୁଣା କଥାକୁ ଉଖାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଗାଇଡଲାଇନ ଏବେ ସୁଦ୍ଧା ପ୍ରସ୍ତୁତ ହୋଇ ନାହିଁ ବଂର ୪୦୩୬ ସ୍ୱାସ୍ଥ୍ୟ ସେବା ପ୍ୟାକେଜ କେବଳ କାଗଜ କଲମରେ ରହିଛି । ଏହି ପ୍ୟାକେଜ ଗୁଡିକ ବିଷୟରେ ୱେବସାଇଟରେ ସାର୍ବଜନୀନ ହୋଇ ନାହିଁ । ନୀତି ସ୍ପଷ୍ଟ ଅଛି ନା ତଥ୍ୟ ଉପଲବ୍ଧ ଅଛି  ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟ ରାଜ୍ୟରେ ଥିବା ଓଡିଆ ମାନଙ୍କୁ ଉତ୍ତମ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେଉଁ ଡାକ୍ତରଖାନା ସହ କି ପ୍ରକାର ବୁଝାମଣା କରାଯାଇଛି ଏହାର ଜବାବ ମାଗିଛନ୍ତି ଧର୍ମେନ୍ଦ୍ର  । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ ଗଂଜାମ ଜିଲ୍ଲାର ସବୁଠୁ ଅଧିକ ଲୋକ ସୁରଟରେ ଅଛନ୍ତି । ସେଠାରେ କେଉଁ କେଉଁ ଡାକ୍ତରଖାନାରେ ଓଡିଆ ମାନେ ମାଗଣା ସ୍ୱାସ୍ଥ୍ୟ ସେବା ପାଇ ପାରିବେ ? ସେମାନଙ୍କୁ ଡାକ୍ତରଖାନା ଚିହ୍ନଟ କରିବ କେମିତି ? ଏଭଳି ପ୍ରଶ୍ନ ବାଣରେ ନବୀନଙ୍କୁ ନିଶାନା କରିଛନ୍ତି ଧର୍ମେନ୍ଦ୍ର । ଏପରିକି ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଲୋକଙ୍କୁ ବୋକା ବନାଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।