ତୋଗାଡିଆଙ୍କ ଟାର୍ଗେଟରେ ମୋଦି ! କହିଲେ, ମୋଦିଙ୍କ ପରାଜୟ ପଛରେ ରହିଛି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ।

ରାମ ମନ୍ଦିର ନିର୍ମାଣକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ ।

1,250
କନକ ବ୍ୟୁରୋ: ରାମ ମନ୍ଦିର ନିର୍ମାଣ କରିଥିଲେ ହାରିନଥାନ୍ତେ ମୋଦି । କିଛି ଏଭଳି ଭାବେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରବୀମ ତୋଗାଡିଆ । ରାମ ମନ୍ଦିର ନିର୍ମାଣକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ରାମ ମନ୍ଦିର ନିର୍ମାଣ କରିଦେଇଥାନ୍ତେ ତେବେ ୫ଟି ରାଜ୍ୟରେ ନିର୍ବାଚନ ହାରି ନଥାନ୍ତେ ।
୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ କୃଷୀ ଋଣ ଛାଡ, ରାମ ମନ୍ଦିର ନିର୍ମାଣ ଏବଂ ଯୁବପଢୀଙ୍କ ଚାକିରି ଦାବି ନେଇ ରାଜନୀତି ତେଜିବାରେ ଲାଗିଛି । ୩ଟି ରାଜ୍ୟରେ କଂଗ୍ରେସ ଋଣ ଛାଡ କରିବା ପରେ ଓଡିଶାରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା ଆଣିଛନ୍ତି । ତେବେ ଏଥିସବୁ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ ମୋଦିଙ୍କୁ ଟାର୍ଗେଟ କରିଛନ୍ତି  । ସେ କହିଛନ୍ତି, ଆନ୍ତରିକତାର ଅଭାବରୁ ରାମମନ୍ଦିର ହୋଇପାରିଲାନି କି ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରି ପାରିଲେ ନାହିଁ  । ସେହିପରି କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ଦେଶରେ ଯୁବକଯୁବତୀ ବେକାର ବୁଲୁଛନ୍ତି  । ଦେଶରେ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉ ନାହିଁ  । ତେଣୁ ୫୨ହଜାର ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି  । କେବଳ ସେତିକି ନୁହେଁ ସଦ୍ୟ ସମାପ୍ତ ନିର୍ବାଚନରେ ବିଜେପି ଏଥିପାଇଁ ପରାଜୟ ବରଣ କରିଛି ବୋଲି ସେ କହିଛନ୍ତି  । ତେବେ ଯେଉଁ ଦଳ ବେକାରୀଙ୍କୁ ନିଯୁକ୍ତି ଦେବ ଓ ଚାଷୀଙ୍କୁ ଉଚିତ୍ ସମ୍ମାନ ଓ ମୂଲ୍ୟ ଦେବ ସେହି ଦଳ ଆଗାମୀ ଦିନରେ ସରକାର ଗଢ଼ିବ ବୋଲି ତୋଗାଡିଆ ମତ ରଖିଛନ୍ତି  । ଉଲ୍ଲେଖଯୋଗ୍ୟ କି,   ଓଡିଶାରେ ଆୟୋଜିତ ଦୁଇ ଦିନିଆ ଅନ୍ତରାଷ୍ଟ୍ରିୟ ହିନ୍ଦୁ ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଛନ୍ତି ତୋଗାଡିଆ ।