ବଜେଟ୍ ବଢାଇଲା ରାଜ୍ୟ ରାଜନୀତି ପାରଦ ! ଜାଣନ୍ତୁ କେଉଁ ରାଜନୈତିକ ଦଳର ପ୍ରତିକ୍ରିୟା କ’ଣ ?

161

କନକ ବ୍ୟୁରୋ : ଆଜି ସଂସଦରେ ଉପସ୍ଥାପିତ ହୋଇଛି ମୋଦି ସରକାରଙ୍କ ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଆଗକୁ ୨୦୧୯ ନିର୍ବାଚନ ଆସୁଥିବା ବେଳେ ଲୋକଙ୍କୁ ଖୁସି କରିବା ପାଇଁ ଏହି ବଜେଟରେ ଅନେକ ବ୍ୟବସ୍ଥା କରାଯାଇଛି । ସେପଟେ ମୋଦି ସରକାରଙ୍କ ଶେଷ ବଜେଟ୍ ଉପସ୍ଥାପିତ ହେବା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜ୍ୟ ବିଜେପି ବଜେଟକୁ ନେଇ ତାରିଫ କରିଥିବା ବେଳେ ବଜେଟର ପ୍ରଭାବ ଆଗାମୀ ନିର୍ବାଚନରେ ପଡିବନି ବୋଲି କହିଛି କଂଗ୍ରେସ । ସେହିପରି ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ବଜେଟ୍ ଘୋଷଣା କରାଯାଇଥିବା ବିଜେଡି କହିଛି ।

ମୋଦି ସରକାରଙ୍କ ଶେଷ ବଜେଟକୁ ଯୁଗାନ୍ତକାରୀ ଓ ଐତିହାସିକ ବଜେଟ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ସେ କହିଛନ୍ତି, ଏହି ବଜେଟ୍ କୃଷକମାନଙ୍କ ପାଇଁ ଏବଂ ଗାଁ ଗରିବଙ୍କ ପ୍ରତି ସମର୍ପିତ ଅଟେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କାଶ୍ମୀର ଠାରୁ କନ୍ୟାକୁମାରୀ ସମସ୍ତେ ଏହି ବଜେଟକୁ ସ୍ୱାଗତ କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ବିଜେପି କାହାର କପି କରେନାହିଁ, ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପର ଠାରୁ ଗରିବ, କୃଷକ, ମଜଦୁର ମାନଙ୍କ ପାଇଁ ସବୁବେଳେ ଚିନ୍ତା କରିଛନ୍ତି । ଯାହାକି ଗତ ଚାରି ବର୍ଷ ବଜେଟରେ ଦେଖିବାକୁ ମିଳିଥିବା ବସନ୍ତ ପଣ୍ଡା କହିଛନ୍ତି ।

ସେପଟେ ବଜେଟକୁ ନେଇ ସବୁଆଡେ ଚର୍ଚ୍ଚା ଭିତରେ କଂଗ୍ରେସ କିନ୍ତୁ କହିଛି ଆଗାମୀ ନିର୍ବାଚନ ଉପରେ ଏହି ବଜେଟର କୌଣସି ପ୍ରଭାବ ପଡିବ ନାହିଁ । କାରଣ କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ୍ଣ ଅସଫଳ ରହିଛନ୍ତି । ତେଣୁ ନିର୍ବାଚନୀ ବର୍ଷରେ ଲୋକଙ୍କୁ ଖୁସି କରିବା ପାଇଁ ହୋଇଥିବା ବଜେଟକୁ ନେଇ ବିଜେପି ଉପରେ ଲୋକେ କେମିତି ବିଶ୍ୱାସ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ରେ ବିଜେପି ଇସ୍ତାହାରରେ ଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବଜେଟ ସନ୍ତୋଷଜନକ ହେଲେ ବି ଏହାର କୌଣସି ପ୍ରଭାବ ଓଡିଶା ରାଜନୀତିରେ ପଡିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି ।

ସେପଟେ ଅନୁରୂପ ଢଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବଜେଟର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇବା ସହ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ଏକ ଲୋକାଭିମୁଖି ବଜେଟ୍ ପ୍ରସ୍ତୁତ କରିଛନ୍ତି ସରକାର । ଟାକ୍ସ ସ୍ଲାବକୁ ୫ ଲକ୍ଷ ପର୍ଯ୍ୟନ୍ତ ଛାଡ କରାଯାଇଥିବା ବେଳେ ଅର୍ଥନୈତିକ ପଛୁଆ ବର୍ଗକୁ ୮ ଲକ୍ଷ ତଳେ ରଖିବାର ପ୍ରାସଙ୍ଗିକତାକୁ ବୁଝିହେଉନି ବୋଲି ସେ କହିଛନ୍ତି । ତେବେ ମୋଦିଙ୍କ ନିର୍ବାଚନୀ ବଜେଟରେ ମଧ୍ୟବିତ, ଚାଷୀ ଓ ଶ୍ରମିକଙ୍କୁ ବଡ ଆଶ୍ୱସ୍ତି ମିଳିଛି ।