ଆୟୁଷ୍ମାନକୁ ନେଇ ରାଜନୀତି ! କେନ୍ଦ୍ର ଯୋଜନା ପାଇଁ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳ 

45

କେନ୍ଦ୍ର ଆୟୁଷ୍ମାନ ଯୋଜନାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନର ନାଁ ପ୍ରସଙ୍ଗରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ମୁହାମୁହିଁ ହୋଇଛନ୍ତି ରାଜ୍ୟର ୩ଟି ପ୍ରମୂଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସଙ୍କ କହିବା ମୁତାବକ କେନ୍ଦ୍ର ସରକାର ଦେଶବାସୀଙ୍କ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ତାହା ଭିତ୍ତିଭୂମୀ ନାହିଁ । ଭବିଷ୍ୟତରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନା ବିଫଳ ହୋଇଛି । ଆୟୁଷ୍ମାନ ଭାରତ ବିଜେପିର କେବଳ ଏକ ସ୍ଲୋଗାନ । ଯଦି ପ୍ରକୃତରେ ମୋଦିଙ୍କର ପ୍ରକୃତରେ ଦେଶବାସୀଙ୍କ ପାଇଁ ଆନ୍ତରିକତା ଥାନ୍ତା ତେବେ, ଡାକ୍ତର ସଂଘ ଇଣ୍ଡିଆନ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରମାନଙ୍କ ସହିତ ଯୋଜନା ସମ୍ପର୍କରେ ପରାମର୍ଶ କରିଥାନ୍ତେ କେନ୍ଦ୍ର ସରକାର ବୋଲି କହିଛନ୍ତି ଭକ୍ତ ଦାସ ।

ସେପଟେ ବିଜେଡି ମଧ୍ୟ ପୁରୁଣା କଥାକୁ ଦୋହରାଇଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ଆଗରୁ ଆମେ ବାରମ୍ବାର କହିଛୁ , ଏହି ଯୋଜନାର ସୁଫଳ କିଛି ମିଳିବ ନାହିଁ । ଯୋଜନା ପୂର୍ବରୁ ଅନେକ ଲୋକ ବାଦ ପଡିଥିବା ସ୍ପଷ୍ଟ ହୋଇଛି । ଯେଉଁ ସମସ୍ୟାକୁ ଆମେ ଉଠାଉଛୁ ତାକୁ ସମର୍ଥନ କରିଛନ୍ତି ଡାକ୍ତର ସଂଘ ଆଇଏମଏ । ଅନ୍ୟପଟେ ବିଜେପି କହିଛି, ଏହା ଏକ ଜନ କଲ୍ୟାଣକାରୀ ଯୋଜନା । ଦେଶରେ ସବୁଠାରୁ ଅଧିକ ସମୟ ଶାସନ କରିଥିବା କଂଗ୍ରେସ ସମୟରେ ଦେଶର ଗରିବୀ ସମସ୍ୟା ବଢ଼ିଛି । ଗରିବୀକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆୟୁଷ୍ମାନ ଯୋଜନା ଫଳପ୍ରଦ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ତେବେ ଆୟୁଷ୍ମାନ ଯୋଜନାକୁ ଯେଉଁ ଡାକ୍ତରମାନେ କାର୍ଯ୍ୟକାରୀ କରିବାର ବଡ ଭୂମିକା ନିର୍ବାହ କରିବେ ସେମାନେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ଆପତ୍ତି ଉଠାଇବା ପରେ ଜୋର ଧରିଛି ରାଜନୀତି । ପୂର୍ବରୁ କେନ୍ଦ୍ର ଘୋଷଣା କରିଥିବା ଚିକିତ୍ସା ପ୍ୟାକେଜକୁ ସଂଘ ପ୍ରତ୍ୟାଖାନ କରିଥିବା ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆୟୁଷ୍ମାନକୁ ନେଇ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି ଶାସକ ଓ ବିରୋଧୀ ଦଳ ।