ଖେଳରେ ପଶିଲା ରାଜନୀତି ! ଏସିଆନ୍ ଆଥଲେଟିକ୍ ମିଟକୁ ନେଇ ଜୁଏଲ୍ ଓରାମଙ୍କ ଅଭିଯୋଗ

35

କନକ ବ୍ୟୁରୋ : ଖେଳରେ ପଶିଲା ରାଜନୀତି । ପତିଆରା ପାଇଁ ପ୍ରତିଯୋଗିତା । ପ୍ରଥମ ଥର ପାଇଁ ଏସିଆନ୍ ଆଥଲେଟିକ୍ ମିଟର ଆୟୋଜନ କରୁଛି ଭୁବନେଶ୍ୱର । ଯେଉଁ ପ୍ରତିଯୋଗୀତା ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଭୁବନେଶ୍ୱରକୁ ସ୍ଥାନ ଦେଇଛି, ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଜୁଏଲ୍ ଓରାମ କହିଛନ୍ତି-ଏତେ ବଡ ପ୍ରତିଯୋଗୀତାକୁ କୋଟରି ଭିତରେ ରଖିଛନ୍ତି । କାହାରିକୁ ପଶିବାକୁ ଦେଉ ନାହିଁନ୍ତି କି କେନ୍ଦ୍ରକୁ ସାମିଲ କରୁନାହାଁନ୍ତି । ଏହି ସବୁ ପ୍ରଶ୍ନ ଭିତରେ ଜୁଏଲ ଓରାମଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । କହିଛନ୍ତି, ଏସିଆନ୍ ଆଥଲେଟିକ୍ ମିଟ୍ ରାଜ୍ୟ ପାଇଁ ଗୌରବ, ଏହାକୁ ନେଇ ରାଜନୀତି ନହେଉ ।

ଅନ୍ୟପଟେ ପାକିସ୍ତାନୀ ଆଥଲେଟଙ୍କୁ ମିଳିଛି ଗ୍ରୀନ୍ ସିଗନାଲ୍ । ଆସନ୍ତାକାଲି ଲାହୋରରୁ ଅମ୍ରିତସର ଏବଂ ଦିଲ୍ଲୀ ଦେଇ ଭୁବନେଶ୍ୱର ପହଂଚିବେ ପାକିସ୍ତାନ ଖେଳାଳି । ୬ ଜଣ ଖେଳାଳି ଏବଂ ୨ ଜଣ କୋଚଙ୍କ ସମେତ ୮ ଜଣିଆ ପାକିସ୍ତାନ ଟିମ୍ ଓଡ଼ିଶା ପହଂଚିବ । ଭିସା ସମସ୍ୟା ଯୋଗୁଁ ଆଥଲେଟଙ୍କ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଯିବ ଏସିଆନ୍ ଆଥଲେଟିକ୍ ମିଟର ଉଦଘାଟନୀ ଉତ୍ସବ । ୪୫ଟି ଦେଶର ୮ଶହ ଆଥଲେଟ୍ ଏବଂ ସମର୍ଥକଙ୍କ ଉପସ୍ଥିତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ୍ ହେବ ଏହି କ୍ରୀଡ଼ା ପ୍ରତିଯୋଗିତା ।

ଏବେ ଅପେକ୍ଷା ସେହି ଐତିହାସିକ ମୁହୁର୍ତ୍ତକୁ । ଯେତେବେଳେ କଳିଙ୍ଗ ଷ୍ଟାଡିୟମରୁ ଶୁଭିବ ଏସିଆନ୍ ଆଥଲେଟିକ୍ ମିଟର ବିଗୁଲ୍ ।