ପ୍ରତାପଙ୍କ ମିଛୁଆ ଦଳ ଉପାଖ୍ୟାନ ! ମୋଦି ସରକାରଙ୍କ ବଜେଟକୁ ଭୁବନେଶ୍ୱରରୁ ସମାଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

124

କନକ ବ୍ୟୁରୋ: ବଜେଟ ଆସିଲା ରାଜନୀତି ବଢ଼ିଲା । କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଏବେ ବଜେଟକୁ ନେଇ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି । ତେବେ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ପ୍ରତାପ କହିଛନ୍ତି ଯେ, ମୋଦି ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ରାଜ୍ୟବାସୀଙ୍କୁ ହତୋତ୍ସାଇତ କରିଛି । ବଜେଟରେ ରାଜ୍ୟ ପାଇଁ କିଛି ବିଶେଷ ସୁବିଧା ନାହିଁ । ଆଶା କରାଯାଇଥିଲା ବଜେଟରେ ଚାଷୀ ଭାଇମାନଙ୍କ ପାଇଁ ବିଶେଷ ଘୋଷଣା କରିବେ କିନ୍ତୁ କେନ୍ଦ୍ର ସରକାର ସେଭଳି କିଛି କଲେ ନାହିଁ । ବରଂ କାଳିଆ ଯୋଜନାକୁ କପି କରି ଚାଷୀଙ୍କୁ ଅଳ୍ପ ବହୁତେ ଖୁସି କରିବାକୁ ବଜେଟ କରାଯାଇଛି ।

ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମୋଦି ସରକାରଙ୍କ କିଷାନ ଯୋଜନା ଠାରୁ ଢ଼େର ଗୁଣା ଭଲ । କେନ୍ଦ୍ର ସରକାରଙ୍କ ବଜେଟରେ ଅନେକ କିଛି ଘୋଷଣା କରିଛନ୍ତି ହେଲେ ଏହି ଘୋଷଣା କାର୍ଯ୍ୟକାରୀ କେବେ ହେବ ତାକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କ କହିବା କଥା ଯେ, ବିଜେପି ସରକାର ୨୦୧୪ ବର୍ଷରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଲେ ନାହିଁ । ବରଂ ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି ପ୍ରତାପ ।

ଚାଷୀଙ୍କ ପାଇଁ ଦୀର୍ଘ ଦିନର ଦାବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା କୁଆଡ଼େ ଭୁଲି ଗଲେଣି କେନ୍ଦ୍ର ସରକାର । ସେହିଭଳି ରାଜ୍ୟ ପାଇଁ ଚଳିତ ବଜେଟରେ ଓଡ଼ିଶାର ରେଳପଥ ବିକାଶ ପାଇଁ ୭ ହଜାର କୋଟି ଆସିଥିବା ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ଗତକାଲି ମୋଦି ସରକାରଙ୍କ ବଜେଟରେ ଓଡ଼ିଶା ରେଳ ବଜେଟ୍ ପାଇଁ ଆସିଥବା ୭ ହଜାର କୋଟି ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ଭାଗ ରହିଛି । ତେଣୁ ଏହାକୁ ହିସାବ କଲେ ଏହି ବଜେଟରେ କେବଳ ଓଡ଼ିଶାକୁ ୨୫୦୦ କୋଟି ମିଳିଛି । ତେଣୁ ଉଭୟ ବିଜେପି ଓ କେନ୍ଦ୍ରମନ୍ତ୍ରୀ ମିଛୁଆ ପ୍ରମାଣିତ ହୋଇଛନ୍ତି । ପୂର୍ବରୁ ସେମାନେ ମିଛ କହୁଥିଲେ ଏବେ ତାଙ୍କୁ ଲୋକମାନେ ମିଛୁଆ ଦଳ ଆଉ ମିଛୁଆ ମନ୍ତ୍ରୀ ଭାବେ ଜାଣି ସାରିଲେଣି ବୋଲି କହିଛନ୍ତି ପ୍ରତାପ ।