ପରଦାରେ ପଲିଟିକ୍ସ ! ବଲିଉଡ୍ ଭଳି ଓଲିଉଡରେ ବାଜିଲା ରାଜନୀତିର ଛୁଙ୍କ ।

141

୧୧ ଜାନୁଆରୀ ୨୦୧୯ ରେ ରିଲିଜ୍ ହୋଇଥିବା ରାଜନୀତିଭରା ସିନେମା “ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ ମିନିଷ୍ଟର” ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଥିଲା ।  ଟ୍ରେଲର୍ ଲଞ୍ଚ୍ ହେବା ପରଠାରୁ ହିଁ ବିବାଦ ଘେରରେ ଥିବା ଏହି ଫିଲ୍ମ ରାଜନୀତିର ସତ୍ୟତାକୁ ପରିପ୍ରକାଶ କରୁଥିଲା । ଗାନ୍ଧି ପରିବାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭିତରେ ଥିବା ସଂପର୍କକୁ ଜାହିର କରୁଥିବା ଏହି ଫିଲ୍ମ ସଂଜୟ ବାରୁଙ୍କ ପୁସ୍ତକରୁ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଥିଲେ ଅନୁପମ ଖେର ।

ନିମକିରେ ବର୍ଷା : 

କେବଳ ବଲିଉଡ୍ ନୁହେଁ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ରାଜନୀତିର ଛୁଙ୍କ ଦେଖିବାକୁ ମିଳିଛି । ନିକଟରେ ରିଲିଜ୍ ଅପେକ୍ଷାରେ ଥିବା ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିଛନ୍ତି । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର  । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଆଉ ପ୍ରତ୍ୟେକ ଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ସେୟାର୍ କରୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ନେଇ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି । ସିନେମାରେ ନିମକି ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ଆଗାମୀ ସିନେମାର ପ୍ରଥମ ଗୀତ ‘ଛୋଟ ମୋର ଗାଁ ଟି’ ମୁକ୍ତିଲାଭ କରିଛି । କ୍ଲାସିକ୍ ଓଡିଆ ଗୀତ ଛୋଟ ମୋର ଗାଁ କୁ ମେକର୍ ପୁଣିଥରେ ରିକ୍ରିଏଟ୍ କରିଛନ୍ତି ଏହି ସିନେମା ପାଇଁ । ଆଉ ଏହି ନୂଆ ଭର୍ସନ୍ ଗୀତରେ ଶୁଣିବାକୁ ମିଳିଛି ସୋହିନି ମିଶ୍ରଙ୍କ ଆକର୍ଷଣୀୟ ଗାୟିକି ।

ବିଜୁ ଫିଲ୍ମରେ ଅନୁଭବ : 

ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଚହଳ ପକାଇବାକୁ ଯାଉଛି ଆଉ ଏକ ରାଜନୀତିଭରା ସିନେମା । ଓଡିଶାର ବାଜ କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ ଆଧାରିତ ହେବ ଓଡିଆ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନାଁ ରଖାଯାଇଛି ‘ବିଜୁବାବୁ’ । ଆଉ ଏହି ଚଳଚ୍ଚିତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୟ କରିବେ ବୋଲି ଜଣାପଡିଛି । ଏପରିକି ସିନେମାର ପ୍ରଥମ ପୋଷ୍ଟର ମଧ୍ୟ ଲୋକାର୍ପଣ ହୋଇଛି ।

ଆଜି ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଠାରେ ହଜାର ହଜାର ପ୍ରଂଶସକଙ୍କ ଗହଣରେ ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଲୋକାର୍ପଣ କରାଯାଇଛି । ପ୍ରଶାନ୍ତ ବେହେରା ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ତେବେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।

ଏହି ଅବସରରେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, ବିଜୁବାବୁ ହେଉଛନ୍ତି ଓଡିଶାର ଜଣେ କିମ୍ବଦନ୍ତୀ ପୁରୁଷ । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ପ୍ରତିଫଳିତ ହେବ । ଆଉ ଓଡିଶାବାସୀ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ ।