ଓକିଲଙ୍କ ଆନ୍ଦୋଳନରେ ପଶିଲା ରାଜନୀତି! କେଉଁଠି ନବୀନଙ୍କ କୁଶପୁତ୍ତଳିକା ଜଳିଲା ତ ଆଉ କେଉଁଠି ଜଳିଲା ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା

ଓଡ଼ିଶା ବାର କାଉନସିିଲ ପକ୍ଷରୁ ରାଜ୍ୟବ୍ୟାପୀ କୁଶପୁତ୍ତଳିକା ଦାହ ପାଇଁ ଡାକରା ଦିଆଯାଇଥିଲେ ସୁଦ୍ଧା ଅନେକ ବାର୍ ଏଥିରୁ ନିଜକୁ ବିରତ ରଖିଛନ୍ତି ।

127

କନକ ବ୍ୟୁରୋ : ଦୀର୍ଘ ୨ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଆଜି ଏକ ଭିନ୍ନ ମୋଡ ନେଇଛି । ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ପରୋକ୍ଷରେ ଉସୁକାଉଥିବା ଅଭିଯୋଗ କରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଓଡ଼ିଶା ବାର କାଉନସିିଲ ପକ୍ଷରୁ ରାଜ୍ୟବ୍ୟାପୀ କୁଶପୁତ୍ତଳିକା ଦାହ ପାଇଁ ଡାକରା ଦିଆଯାଇଥିଲେ ସୁଦ୍ଧା ଅନେକ ବାର୍ ଏଥିରୁ ନିଜକୁ ବିରତ ରଖିଛନ୍ତି । ଆଉ ଆଜିର ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଦେଇଛି ଯେ, ଓକିଲ ଆନ୍ଦୋଳନରେ ଲାଗିଥିବା ରାଜନୀତିର ରଙ୍ଗ ଆହୁରୀ ଗାଢ଼ ହୋଇଛି ।

ALLIGATION AGAINST ADVOCATEରାଜ୍ୟର ବିଭିନ୍ନ କୋର୍ଟ ଆଗରେ ଜଳୁଥିବା ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା, କେବଳ ଯେ ଆଇନଜୀବୀଙ୍କ ଆନ୍ଦୋଳନର ପ୍ରତିଫଳନ, ହୁଏତ ଏହା କହିବା ଏବେ କଷ୍ଟକର । କାରଣ ଆଇନଜୀବୀଙ୍କ ଆନ୍ଦୋଳନରେ ଲାଗିଛି ରାଜନୀତିର ରଙ୍ଗ । ଆଉ ଏହି ରଙ୍ଗ ଏବେ ଆହୁରି ଗାଢ଼ ହୋଇଛି, ଯେତେବେଳେ କୁଶପୁତଳିକା ଦାହକୁ କେଉଁଠି ସମର୍ଥନ କରାଯାଇଛି, ତ ଆଉ କେଉଁଠି ବିରୋଧ କରାଯାଇଛି ।

ହେଲେ ଏହି ପ୍ରତିବାଦରେ ବି କେଁ ପଶିଛି । କାରଣ ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଖୋର୍ଦ୍ଧା, ଯାଜପୁର, ବାଲିଗୁଡ଼ା, ବଲାଙ୍ଗୀର, ରାୟଗଡ଼ା, ଦେବଗଡ଼, ଗଜପତି, କଳାହାଣ୍ଡି, ନୟାଗଡ଼,କେନ୍ଦ୍ରାପଡ଼ା, ଜୟପୁର ଓ ସୁବର୍ଣ୍ଣପୁରରେ କୁଶପୁତଳିକା ଦାହ ଦେଖିବାକୁ ମିଳିନି । ଅନ୍ୟପକ୍ଷରେ କଟକ, ଯାଜପୁର, ନବରଙ୍ଗପୁର, ନୀଳଗିରି, ଧର୍ମଶାଳା, ଭଦ୍ରକ, ଅନୁଗୁଳ, କେନ୍ଦୁଝର, ବାଳେଶ୍ୱର,ବ୍ରହ୍ମପୁର, ଢ଼େଙ୍କାନାଳ, ବାରିପଦା,ମାଲକାନଗିରି ଏବଂ ଫୁଲବାଣୀ ଭଳି ସହରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ ହୋଇଛି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ଓକିଲ । ଆଉ ଏଭଳି ଚିତ୍ର ଆସିଛି ଭଦ୍ରକରୁ । ଯେଉଁଠି ଓକିଲ ମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ଏପଟେ ଆନ୍ଦୋଳନର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ଗୁରୁବାର ବସୁଛି ବାର ଆସୋସିଏସନର ବୈଠକ । ଯେଉଁଠି ଆଲୋଚନା ପରେ ଚୁଡାନ୍ତ ନିଷ୍ପତି ହେବ ବୋଲି ସଂଘର ସଂପାଦକ ସୂଚନା ଦେଇଛନ୍ତି । ଗୋଟିଏ ପଟେ ବିଜେଡି ଲିଗାଲ ସେଲ୍ କାର୍ଯ୍ୟରେ ଯୋଗଦେବା ପାଇଁ ଆଗେଇ ଆସିଥିବା ବେଳେ ଅନ୍ୟପଟେ ଓଡ଼ିଶା ବାର ଆସୋସିଏସନ୍ର ନିଷ୍ପତିକୁ ଅପେକ୍ଷା କରାଯାଇଛି । ଆଉ ଏସବୁ ଭିତରେ କିନ୍ତୁ ୨ ମାସରୁ ଅଧିକ ସମୟ ହେଲାଣୀ ଠପ୍ ହୋଇ ଯାଇଛି କୋର୍ଟ କଚେରୀ କାର୍ଯ୍ୟ ।