ସଂଖ୍ୟା ଥାଇ ମଧ୍ୟ… ! ୫ ବର୍ଷିଆ ଆସନରେ ଯିବେ ଅଶ୍ୱିନୀ । ଅଚ୍ୟୁତଙ୍କ ଆସନରେ ଅମର, ସସ୍ମିତଙ୍କୁ ୩ ବର୍ଷିଆ ସିଟ୍

479

କନକ ବ୍ୟୁରୋ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଆଜି ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଭାଜପା ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି। ତେବେ ଏହି ତିନି ରାଜ୍ୟସଭା ପ୍ରାର୍ଥୀମାନେ କାହା ଜାଗାରେ ଏବଂ କେତେ ବର୍ଷ ପାଇଁ ସଂସଦରେ ସଦସ୍ୟତା ପାଇଁ ନାମାଙ୍କନ ଭରିଛନ୍ତ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପଢ଼ନ୍ତୁ କିଏ କାହା ସ୍ଥାନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅଚ୍ୟୁତଙ୍କ ଆସନରେ ଅମର -:

ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନଙ୍କ ସ୍ଥାନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅମର ପଟ୍ଟନାୟକ । ତେବେ ଚଳିତ ନିର୍ବାଚନରେ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋସଭା ଆସନରୁ ବିଜୟୀ ହେବାପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ତେଣୁ ଅଚ୍ୟୁତଙ୍କ କାର୍ଯ୍ୟକାଳ ପାଖାପାଖି ୫ ବର୍ଷ ବାକି ରହିଥିବାବେଳେ ଅମର ପଟ୍ଟନାୟକ ତାଙ୍କ ସ୍ଥାନରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ସୌମ୍ୟଙ୍କ ସ୍ଥାନରେ ଅଶ୍ୱିନୀ-:

ସେହିପରି ବିଜେଡି ସମର୍ଥିତ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନାମାଙ୍କନ ଭରିଥିବା ଜଣାପଡ଼ିଛି । ସେପଟେ ସୌମ୍ୟ ମଧ୍ୟ ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରୁ ବିଧାୟକଭାବେ ନିର୍ବାଚିତ ହେବାପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ତେବେ ଉଭୟ ଅଚ୍ୟୁତ ଏବଂ ସୌମ୍ୟ ପୂର୍ବରୁ ଏକାସଙ୍ଗେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ହେଁ ଅଚ୍ୟୁତଙ୍କ ଭଳି ସୌମ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ୫ ବର୍ଷ ବାକି ରହିଥିଲା । ଯେଉଁଥିରେ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିଛନ୍ତି ।

ପ୍ରତାପଙ୍କ ସିଟରେ ସସ୍ମିତ୍-:

ଶେଷରେ ରାଜ୍ୟସଭା ଆଉ ଏକ ଆସନ ଯଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ ପାତ୍ର ନାଁ ଭରିଥିବା ସୂଚନା ମିଳିଛି । ତେବେ ପ୍ରତାପ ଚଳିତ ନିର୍ବାଚନରେ ଆଳି ବିଧାନସଭା ଆସନରୁ ବିଧାୟକଭାବେ ନିର୍ବାଚିତ ହେବାପରେ ସେ ମଧ୍ୟ ରାଜ୍ୟସଭା ସାଂସଦ ପଦ ଛାଡ଼ିଥିଲେ । ହେଲେ ପ୍ରତାପଙ୍କ କାର୍ଯ୍ୟକାଳ ରାଜ୍ୟସଭାରେ ୨୦୨୨ରେ ଶେଷ ହେବାକୁଥିବାବେଳେ ତାଙ୍କ ସ୍ଥାନରେ ବିଜେଡିର ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅର୍ଥାତ୍ ସସ୍ମିତ ପାତ୍ର ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟଭାର ସମ୍ଭାଳି ପାରନ୍ତି ।

ଅନ୍ୟପଟେ ରାଜ୍ୟସଭାର ଖାଲିଥିବା ୩ଟି ସିଟ୍ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବାପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କାରଣ ସଂଖ୍ୟା ଗରିଷ୍ଠତା ଥିିବା ବିଜେଡି ପ୍ରଥମେ ୩ଟି ସିଟରୁ ଦୁଇ ଜଣ ବିଜେଡି ନେତାଙ୍କୁ ରାଜ୍ୟସଭା ପାଇଁ ଚୟନ କରିବା ପରେ, ଅନ୍ୟ ସିଟକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ଖାତାକୁ ଦେଇଛି । ଆଉ ତାଙ୍କୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ରାଜନୀତି ପାରଦ ବଢ଼ାଇଛି । ଏବେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ସୌମ୍ୟ ପଟ୍ଟନାୟକଙ୍କ ୫ ବର୍ଷିୟ ସିଟରେ ନାମାଙ୍କନ ଭରିବା ପରେ ବିରୋଧୀଙ୍କ ପାଇଁ ଆଉ ଏକ ଖୋରାକ ଯୋଗାଇଛି ।