ଦେଶର ପସନ୍ଦ ମୋଦି ନା ରାହୁଲ୍ ? ଏଗଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଆରମ୍ଭ ହେଲା ଅଙ୍କକଷା ।

489

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୁର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏଗଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ପୋଲ ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସକୁ ମିଳିପାରେ କ୍ଲିନ ସ୍ୱିପ୍  । ସେପଟେ ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ କଂଗ୍ରେସ ଆଗରେ ରହିପାରେ ବୋଲି କୁହାଯାଉଛି  । ସେହିପରି ତେଲେଙ୍ଗାନାରେ ଗାଦି ବଜାୟ ରଖିବ ଟିଆରଏସ୍  । ଏହାକୁ ନେଇ ରାଜନୀତିରେ ବଢ଼ିବାରେ ଲାଗିଛି ଉଷ୍ମତା  ।

ଜାତୀୟ ରାଜନୀତିରେ ଏଗଜିଟ୍ ପୋଲ୍ ! ଦେଶର ପସନ୍ଦ ମୋଦି ନା ରାହୁଲ୍ ? ରାଜସ୍ଥାନ, ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ନିଜର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ସର୍ଭେ ରିପୋର୍ଟ ଅନୁଧ୍ୟାନ କଲେ ବିଜେପିକୁ ଏକ ବଡ ଧରଣର ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି  । ଯାହା ୨୦୧୯ ନିର୍ବାଚନକୁ ପ୍ରଭାବିତ କରିବାର ସର୍ବାଧିକ ଆଶଙ୍କା ରହିଛି  ।

ଏଗଜିଟ ପୋଲ୍ ସତ ହେଲେ କ’ଣ ମିଳିବ ସଙ୍କେତ ?

– ଏଗଜିଟ୍ ପୋଲ୍ ଯଦି ସତ ହୁଏ ତେବେ ଏହା ରାହୁଲ ଗାନ୍ଧୀଙ୍କ ନେତୃତ୍ୱର ସବୁଠୁ ବଡ଼ ବିଜୟ ହେବ ଓ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ପୂର୍ବଠାରୁ ଅଧିକ ଗ୍ରହଣୀୟ ହେବେ  ।

– ତେଲେଙ୍ଗାନାରେ କଂଗ୍ରେସ ଟିଡ଼ିପି ସହ ମେଂଟ କରିଥିବା ବେଳେ ଟିଆରଏସ୍ କ୍ଷମତାକୁ ଆସିବା ଭବିଷ୍ୟତରେ ଏଭଳି ମେଂଟର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ  ।

– ରାଜସ୍ଥାନରେ ବସୁନ୍ଧରାଙ୍କୁ ହଟାଇବାକୁ ସ୍ୱର ଉଠୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଅଣଦେଖା କରିଆସିଛି ଓ ଏଗଜିଟ୍ ପୋଲ୍ ସତ ହେଲେ ଏହା ବସୁନ୍ଧରାଙ୍କ ଅଡୁଆ ବଢ଼ାଇବ  ।

– ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଆଦି ରାଜ୍ୟରେ ଆଂଚଳିକ ଦଳଗୁଡ଼ିକ ଗୁରୁତ୍ୱ ହରାଇବେ ଓ କଂଗ୍ରେସଠୁ ଅଲଗା ହେବା ମାୟାବତୀ ଓ ଅଖିଳେଶଙ୍କ ପାଇଁ ମହଙ୍ଗା ପ୍ରମାଣିତ ହେବ  ।

– ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରି ବିଜେପି ଶାସିତ ରାଜ୍ୟ଼ରେ କଂଗ୍ରେସ ଜିତିଲେ ମୋଦି ବ୍ରାଣ୍ଡର ଲୋକପ୍ରିୟତା କମୁଥିବା ପ୍ରମାଣିତ ହେବ ଓ ଏହା ୨୦୧୯କୁ ପ୍ରଭାବିତ କରିବ  । ଏବେ ଅପେକ୍ଷା ୧୧ ତାରିଖକୁ, ଫଳାଫଳ ଘୋଷଣା କହିବ କଣ ହେବ ୨୦୧୯ର ରୂପରେଖ  ।