କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ଜୋରଧରିଲା ରାଜନୀତି । ଦୁଷ୍କର୍ମ ପୀଡିତାଙ୍କ ସଂପର୍କୀୟଙ୍କୁ ନେଇ ରାଜଧାନୀରେ ଆନ୍ଦୋଳନରେ ବସିଲା କଂଗ୍ରେସ

22

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହି ପ୍ରସଙ୍ଗକୁ ନେଇ ଏକାଠି ହୋଇଛି କଂଗ୍ରେସ । ଘଟଣାର ୨୫ ଦିନ ପରେ ବି ପୋଲିସ ହାତ ଖାଲି ଥିବାରୁ କଂଗ୍ରେସ ଲୋଡିଛି ରାଜ୍ୟପାଳଙ୍କ ହସ୍ତକ୍ଷେପ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ଆଗଧାଡିର ନେତାଙ୍କ ସହ ରାଜଭବନ ଆଗରେ ଗର୍ଜିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

ଏହା ଏକ ଏମିତି ଘଟଣା ଯାହାର ସମାଧାନ କିପରି ହେବ ତାହା ନା ପୋଲିସ ନା ସରକାର କେହି ଠଉରାଇ ପାରୁଛନ୍ତି । ଗୋଟିଏ ପଟେ ପୀଡିତା କହୁଛନ୍ତି, ତାଙ୍କୁ ଦୁଷ୍କର୍ମ କରିଛନ୍ତି ସୁରକ୍ଷାକର୍ମୀ, ଏପଟେ ପୋଲିସ କହୁଛି ଦୁଷ୍କର୍ମ ଘଟଣାରେ ସୁରକ୍ଷାକର୍ମୀ ସାମିଲ ନାହାନ୍ତି । ଅନ୍ୟପଟେ ସୁରକ୍ଷାକର୍ମୀ ଏଭଳି କୁକର୍ମ କରିଥିବା ନେଇ ବିଜେଡି ଅନସୂଚିତ ଜାତି ସେଲ ଆବାହକ ବିଷ୍ଣୁ ଦାସ ଅଭିଯୋଗ ଆଣିଥିଲେ । ଏବଂ ପୋଲିସ ତଦନ୍ତ ଉପରେ ଏବେ ବି ପ୍ରଶ୍ନ ଉଠାଇଛନ୍ତି । ବିଜେପି ମଧ୍ୟ ଏହି ଘଟଣାରେ ଶାସକ ଦଳର ନେତାଙ୍କୁ ଘେରିଛି ।କୁନ୍ଦୁଲି ଘଟଣାକୁ ନେଇ ରହସ୍ୟ ବଢୁଥିବା ବେଳେ ଏପଟେ ରାଜନୀତିର ପାରା ବଢୁଛି । ଆଉ ଏଥି ସହ ତାଳ ଦେଇ ପୋଲିସ ଓ ସରକାରର ମୁଣ୍ଡ ବଥା ବି ବଢୁଛି ।