ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କକୁ ଆକ୍ରମଣ ଘଟଣାରେ ଜୋରଦାର ହେଲା ରାଜନୀତି : ବିଜେଡି କହିଲା ସୁଶାନ୍ତଙ୍କ ଲୋକପ୍ରିୟତାକୁ ସହିପାରୁନି ବିଜେପି

39

କନକ ବ୍ୟୁରୋ : ବରଗଡରେ ଉଗ୍ର ରୂପ ନେଲା ରାଜନୈତିକ ହିଂସା । ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ପଡିବାର ଦିନକ ଆଗରୁ ସୋହେଲାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରକୁ ହୋଇଛି ଆକ୍ରମଣ । ସୋହେଲା ବ୍ଲକ ବନାବିରା ଗାଁରେ ସୁବ୍ରତ ସିଂଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ସୁବ୍ରତଙ୍କ ସହ ୪ଜଣ ଏକ ଚାରି ଚକିଆ ଗାଡିରେ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଆନୁସାରେ ହଠାତ ଗାଡି ଉପରକୁ ଟେକା ପଥର ମାଡ କରିବା ସହ ଗୁଳି ଫୁଟାଇଥିଲେ ଦୁର୍ବୃତ୍ତ ।

ଏଥିରେ ସୁବ୍ରତ ସିଂଙ୍କ ସହ ଅନ୍ୟ ତିନିଜଣ- ଗାଡି଼ ମାଲିକ କାର୍ତିକ ନାଗ, ଡ୍ରାଇଭର ମାଗିି ଶାହ, ଖଗେଶ୍ୱର ମହାମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନା ଓ ପରେ ବୁର୍ଲା ବଡ ମେଡିକାଲରେ ଭର୍ତି କରାଯାଇଛି । ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ହସ୍ପିଟାଲରେ ପହଂଚି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ସୁବ୍ରତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ଗୋଟିଏ ଅଫୁଟା ଗୁଳି ଓ ୨ଟି ଖୋକା ଜବତ କରିଥିବା ସୂଚନା ମିଳିଛି । ମାମଲାରେ ଅଧିକ ଛାନଭିନ ଚଳାଇଛି ସୋହେଲା ପୋଲିସ ।

ମନ୍ତ୍ରୀଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇପଡିଛି ବିଜେଡି । ସୋହେଲାଙ୍କ ଶ୍ରମମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ରାଜନୈତିକ କାରଣରୁ ଏଭଳି କରାଯାଇଛି । ନିର୍ବାଚନରେ ପରାଜୟର ଭୟ ଘାରିଥିବା ବ୍ୟକ୍ତି ଏଭଳି ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । ତେବେ ବୁଲେଟର ଜବାବ ବାଲଟରେ ଦିଆଯିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ଆକ୍ରମଣ ପଛରେ ବିଜେପିର ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଲୋକପ୍ରିୟତାକୁ ବିଜେପି ସହି ପାରୁନଥିବାରୁ ଏଭଳି କାଣ୍ଡ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ବିଜେପୁରରେ ବିଜେପି ହାରିବା ଭୟରେ ହତୋତ୍ସାହିତ ହୋଇ ଏଭଳି ହିଂସାକାଣ୍ଡ କରୁଥିବା ସେ କହିଛନ୍ତି । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । କିନ୍ତୁ ବିଜେପୁର ଲୋକେ କାହାକୁ ଭୋଟ ଦେବେ ଠିକ କରିସାରିଲେଣି ବୋଲି କହିଛନ୍ତି ରାସେଶ୍ୱରୀ ପାଣିଗ୍ରାହୀ

ସେପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପିରୋହିତ । ପ୍ରଦୀପ କହିଛନ୍ତି ଏହା ବିଜେଡି ଅନ୍ତର୍କନ୍ଦଳର ପରିଣାମ । ହିଂସାକୁ ଭାରତୀୟ ଜନତା ପାର୍ଟି ଆଦୌ ସମର୍ଥନ କରେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଜେଡିରେ ଥିବା କିଛି ଗୁଣ୍ଡାଙ୍କ କଳହର ଏହା ପରିଣତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।