ବିଜେପୁରରେ ଉଗ୍ର ହେଉଛି ରାଜନୈତିକ ହିଂସା : ଆସନ୍ତାକାଲି ଭୋଟ ପଡିବା ଆଗରୁ ସୋହେଲାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ମଣାନ୍ତକ ଆକ୍ରମଣ

31

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ଠିକ୍ ପୂର୍ବରୁ ବରଗଡ଼ ସୋହେଲାରେ ଗୁଳିମାଡ଼ । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରେ ମଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ସୋହେଲା ବ୍ଲକ୍ ବନାବିରା ଗାଁରେ ସୁବ୍ରତ ସିଂହଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ଏହି ଗୁଳିମାଡ଼ ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବର୍ତମାନ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ୪ଜଣ ହେଉଛନ୍ତି ଗାଡ଼ି ମାଲିକ କାର୍ତିକ ନାଗ, ଡ୍ରାଇଭର ମାର୍ଗ ସାହୁ , ଜଳେଶ୍ୱର ମହାନ୍ତି ଓ ସୁବ୍ରତ ସିଂ ।

ସେପଟେ ବିଜେପୁରର ମତଦାନ ପୂର୍ବରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଜେପୁର ପୋଲିସ ପୁନାଗାଁର ଅନି ନାୟକଙ୍କ ଖଳାରେ ଚଢଉ କରିଥିଲା । ଏଠାରୁ ୨୩୭୦ ବୋତଲ ବିଦେଶୀ ମଦ ଜବତ କରିଥିଲା । ଏହି ଘଟଣାରେ ଅନି ନାୟକକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ । କେଉଁଠୁ ଏତେ ପରିମାଣ ମଦ ଆସିଥିଲା ଏବଂ ଏହା ପଛରେ ଉଦ୍ଦେଶ୍ୟ କଣ ଥିଲା ସେନେଇ ତନାଘନା ଜାରି ରହିଛି । ନିର୍ବାଚନ ପ୍ରଚାର ଅବସରରେ ଦୁଇ ଥର ବିପୁଳ ପରିମାଣ ଟଙ୍କା ଜବତ ହୋଇଥିଲା । ଅନ୍ୟପଟେ ଏତେ ପରିମାଣ ମଦ ଜବତ ହେବା ପରେ ଏହା କାହିଁକି ରଖାଯାଇଥିଲା ସେନେଇ ତଦନ୍ତ ଚାଲିଛି ।

ଏହାସହ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ସରିଥିବା ବେଳେ ଆସନ୍ତାକାଲି ହେବ ମତଦାନ । ଭୋଟ୍ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଉପ-ନିର୍ବାଚନକୁ ସୁରୁଖୁରୁରେ ସାରିବା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ବିଜେପୁର ଉପନିର୍ବାଚନ ପାଇଁ ୨୮୧ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିରୁ ୧୫୫ଟି ସମ୍ବେଦନଶୀଳ ଓ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୨୦ଟି ବୁଥର ମତଦାନ ଉପରେ ନଜର ରଖିବା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେହିପରି ୨୦ଟି ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହ ୪୦ଟି ବୁଥ୍ରେ ମାଇକ୍ରୋ ଅବଜରଭର ରହିବେ । ପ୍ରଚାର ସମୟରେ ଟଙ୍କା ଜବତ ଏବଂ ହିଂସାକାଣ୍ଡ ଭଳି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ସମୟରେ ଯେମିତି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।