ମୁଖ୍ୟମନ୍ତ୍ରୀ ଭାବେ ଭୋଟରଙ୍କ ପ୍ରଥମ ପସନ୍ଦ ନବୀନ : ଇଣ୍ଡିଆ ଟୁଡେ ସର୍ଭେରେ ନବୀନଙ୍କ ସପକ୍ଷରେ ୫୯% ମତ,୨୧%ମତ ସହ ଭୋଟରଙ୍କ ଦ୍ୱିତୀୟ ପସନ୍ଦ ଧର୍ମେନ୍ଦ୍ର

127

କନକ ବ୍ୟୁରୋ : ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ଇଣ୍ଡିଆ ଟୁଡେ-ପଲିଟିକାଲ ଷ୍ଟକ୍ ଏକ୍ସଚେଞ୍ଜ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ କହୁଛି, ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଁଛନ୍ତି ୫୯ ପ୍ରତିଶତ ଲୋକ । ଆଉ ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୧ ପ୍ରତିଶତ ଲୋକ ଧର୍ମେନ୍ଦ୍ରଙ୍କ ସପକ୍ଷରେ ମତ ଦେଇଛନ୍ତି । ଟେଲିଫୋନ ଜରିଆରେ ୮ ହଜାର ୨ଶହ ୩୨ ଜଣଙ୍କ ମତାମତ ନିଆଯାଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ତେବେ ରାଜ୍ୟରେ ପିଇବା ପାଣି ପ୍ରଥମ ପ୍ରସଙ୍ଗ ହୋଇ ରହିଛି । ଏହା ପଛକୁ ରହିଛି କୃଷି ସମସ୍ୟା ଓ ସ୍ୱାସ୍ଥ୍ୟ ସମସ୍ୟା । ତେବେ ୪୪ ପ୍ରତିଶତ ଲୋକ ନବୀନ ସରକାରଙ୍କ ସଫଳତାକୁ ନେଇ ସନ୍ତୁଷ୍ଟ ରହିଥିବା ବେଳେ ମାତ୍ର ୧୯ ପ୍ରତିଶତ ଲୋକ ସରକାରଙ୍କ ସଫଳତାକୁ ନେଇ ଅସନ୍ତୁଷ୍ଟ ରହିଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଦେଶବାସୀ ।

www.ndtv.com

ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାମରେ ରାଜ୍ୟର ୫୨ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ଓଡିଶାରେ ନବୀନଙ୍କ ସ୍ଥିତି ସୁଦୃଢ ଥିଲେ ବି ମୋଦିଙ୍କ ପ୍ରତି ବିପୁଳ ସମର୍ଥନ ରହିଥିବା ଜଣାପଡୁଛି । କାରଣ ସର୍ଭେରେ କେବଳ ୧୨ ପ୍ରତିଶତ ଲୋକ ହିଁ ମୋଦି ସରକାରଙ୍କ କାମରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।