ବିଧାୟକଙ୍କ ଭାଇରାଲ ଭିଡିଓକୁ ନେଇ ଜୋର ଧରିଲା ରାଜନୀତି: ଦେବାଶିଷଙ୍କ ଗିରଫ ଦାବି କଲା କଂଗ୍ରେସ, ଥାନାରେ ଏତଲା ଦେଲା ବିଜେପି

ସହିଦଙ୍କ ଦାଦା ଦେଲେ କ୍ଲିନଚିଟ୍, କହିଲେ, ଅଯଥାରେ କରାନଯାଉ ରାଜନୀତି

190

କନକ ବ୍ୟୁରୋ: ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଘେରିଲେ ବିରୋଧୀ । ସହିଦଙ୍କ ସଂପର୍କିୟଙ୍କୁ ଧକ୍କା ଦେବା ଘଟଣାରେ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରିବା ଦାବିରେ ଆଜି କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି ଦଳ । କେବଳ କ୍ଷମା ମାଗିଲେ ଚଳିବ ନାହିଁ ଦାବି କରିଛି କଂଗ୍ରେସ । ଅନ୍ୟପଟେ ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ କରିଛି ବିଜେପି । ଆଉ ଏସବୁ ଭିତରେ ଆସିଛି ସହିଦ ଯବାନ ମନୋଜ ବେହେରାଙ୍କ ଦାଦା ଚୈତନ୍ୟ ବେହେରା ଏହି ଘଟଣାରେ ମୁହଁ ଖୋଲିଛନ୍ତି । କହିଛନ୍ତି- ବିଧାୟକ ଧକ୍କା ଦେଇନଥିଲେ ବରଂ ବସିବାକୁ କହିଥିଲେ ।

ସହିଦ ଯବାନଙ୍କ ସଂପର୍କୀୟଙ୍କୁ ନେତାଙ୍କ ଏଭଳି ଆଚଚଣ, ଯାହାକୁ ନେଇ ରାଜ୍ୟରୁ ଦେଶ ଏବଂ ଦେଶରୁ ବିଦେଶ ଯାଏଁ ଚର୍ଚ୍ଚା, ତାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିବା ବେଳେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ସେହିପରି ବିଜେପି ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ୍ ଥାନରେ ଦେବାଶିଷଙ୍କ ନାଁରେ ଏତଲା ଦିଆଯାଇଛି ।

ସହିଦ ଯବାନଙ୍କ ସଂପର୍କୀୟଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଘଟଣାରେ କଟକ-ବାରବାଟୀ ବିଧାୟକ କ୍ଷମା ମାଗି ଥିଲେ ସୁଦ୍ଧା, କେବଳ କ୍ଷମା ମାଗିଲେ ଚଳିବ ନାହିଁ ବୋଲି ଦାବି କରିଛି କଂଗ୍ରେସ । ଦେବାଶିଷ ସାମନ୍ତରାୟଙ୍କୁ ଦଳରୁ ବହିଷ୍କାର କରିବା ସହ ତାଙ୍କୁ ଗିରଫ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଦାବି କରିଛି । ଏପଟେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଦେବାଶିଷ ସାମନ୍ତରାୟ କ୍ଷମା ପ୍ରାର୍ଥନା କରିସାରିଛନ୍ତି । ଏହାକୁ ନେଇ ରାଜନୀତି କରାନଯାଉ । କଣ ହେବ କଣ ହେବନି ତାହା ଦଳର ସୁପ୍ରିମୋ ନିଷ୍ପତି ନେବେ ବୋଲି ପ୍ରତାପ ଦେବ କହିଛନ୍ତି ।

 

ଏହି ଘଟଣାକୁ ରାଜନୀତି ତେଜୁଥିବା ବେଳେ ସହିଦ ମନୋଜ ବେହେରାଙ୍କ ଦାଦା, ଚୈତନ୍ୟ ବେହେରା ଏନେଇ ମୁହଁ ଖୋଲିଛନ୍ତି । କହିଛନ୍ତି- ବିଧାୟକ ଧକ୍କା ମାରି ନାହିଁନ୍ତି ବରଂ ବସିବାକୁ କହିଥିଲେ । ଅଜଥାରେ ରାଜନୀତି କରାଯାଉଛି । ଅନ୍ୟପଟେ ପୁଣି ଥରେ କ୍ଷମା ମାଗିଛନ୍ତି ଦେବାଶିଷ ସାମନ୍ତରାୟ ।  ସେ କହିଛନ୍ତି, ଗାର୍ଡ ଅଫ ଅନର ଏବଂ ସକ୍ରାର ବେଳେ କିଛି ଲୋକେ ବିଶୃଂଖଳ ହୋଇ ଏପଟସେପଟ ହେଉଥିଲେ , ସେହି ସମୟରେ ମୁଁ ଜଣକୁ ଟାଣି ଆଣି ବସାଇଦେଇଥିଲି ଏବଂ ପରବର୍ତ୍ତୀ ସମୟରେ ମୁଁ ଜାଣିବାକୁ ପାଇଲି କି, ସେ ସହିଦ ମଜୋନଙ୍କ ସଂପର୍କୀୟ ବୋଲି, ମୋର ଅଜାଣତରେ ଏହି ଘଟଣାରେ ଯଦି କାହା ମନରେ ଆଘାତ ପହଂଚିଛି, ଏଥିପାଇଁ ମୁଁ ଦୁଃଖିତ ଏବଂ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ଏବଂ ମୁଁ ଯୋଡ ହସ୍ତରେ ନିବେଦନ କରୁଛି , ଏହାକୁ ନେଇ ଆଉ ରାଜନୀତି କରାନ ଯାଉ ବୋଲି ଦେବାଶିଷ ପୁନର୍ବାର ନିବେଦନ କରି କହିଛନ୍ତି ।

ଘଟଣା ଘଟିଥିଲା ଗତ ୧୬ ତାରିଖ ରାତିରେ, ଯେତେବେଳେ ନିଆଳି ରତନପୁର ଗାଁରେ ସହିଦ ମନୋଜ ବେହେରାରଙ୍କୁ ଅନ୍ତିମ ବିଦାୟ ଦିଆଯାଉଥିଲା, ସେତେବେଳେ ମନୋଜଙ୍କ ଦାଦା ଚୈତନ୍ୟଙ୍କୁ ଧକ୍କା ମାରୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଥିଲା ।