ନିର୍ବାଚନ ଜିତିବା ପାଇଁ ନେତାଙ୍କ ରଣନୀତି : ଗାଁରେ ବାଣ୍ଟୁଛନ୍ତି ଖାସୀ ମାଉଁସ, ସହରରେ କୁକୁଡା କିଲୋ ୧୦ ଟଙ୍କା 

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ୨କ୍ୱିଣ୍ଟାଲ କୁକୁଡା ମାଂସ ଜବତ କଲେ ନିର୍ବାଚନ ଆୟୋଗ ଟିମ୍

129

ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ଓ ଅନ୍ତିମ ପର୍ଯ୍ୟାୟ ଭୋଟ୍ ମଙ୍ଗଳବାର ହେବ । ଏହାପୂର୍ବରୁ ଭୋଟରଙ୍କ ହୃଦୟ ଜିଣିବା ପାଇଁ ପ୍ରାର୍ଥୀ ଅନୁଚିତ ଉପାୟ ଆପଣେଇବାକୁ ବି ପଛାଉନାହାଁନ୍ତି । ଭୋଟ୍ ପୂର୍ବରୁ ନିର୍ବାଚନ ଆୟୋଗକୁ ଭିନ୍ନ ଭିନ୍ନ ସ୍ଥାନରୁ ଅନେକ ପ୍ରକାରର ଅଭିଯୋଗ ଆସିଛି । କିନ୍ତୁ ଛତିଶଗଡର କୋରବାରୁ ଭିନ୍ନ ଏକ ମାମଲା ସାମନାକୁ ଆସିଛି । ଏଠି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗ୍ରାମାଂଚଳରେ ମଟନ୍-ଭାତ ଦିଆଯାଉଛି ଓ ସହରାଂଚଳ ପାଇଁ ଶସ୍ତା ଚିକେନ୍ ଉପଲବ୍ଧ କରାଯାଉଛି । ହେଲେ ଏମିତି କରୁଥିବା ଦଳ ବିଷୟରେ ଓ ପ୍ରାର୍ଥୀ ସଂପର୍କରେ କିଛି ଜଣାପଡିନାହିଁ ।

ସୂଚନାଯୋଗ୍ୟ, ସହରାଂଚଳରେ ମାତ୍ର ୧୦ଟଙ୍କା କିଲୋ ହିସାବରେ କୁକୁଡା ମାଂସ ବଣ୍ଟାଯାଉଛି । ଦୋକାନରେ ଲମ୍ବା ଲମ୍ବା ଲାଇନ୍ ଲାଗିଥିଲା ଓ ଲୋକମାନେ ନିର୍ବାଚନୀ କୁକୁଡା କିଣିବାକୁ ଉତ୍ସୁକ ଥିଲେ । ଧିରେ ଧିରେ ଏହି ସୂଚନା ନିର୍ବାଚନ ଆୟୋଗଙ୍କ ପାଖକୁ ପହଂଚିଲା । ଏହାପରେ ରବିବାର ଦିନ ଆୟୋଗର ଟିମ୍ କୁକୁଡା ଦୋକାନରେ ଚଢ଼ଉ କଲେ । ଟିମ୍ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ୨କ୍ୱିଣ୍ଟାଲ କୁକୁଡା ମାଂସ ଜବତ କଲେ ।

ରାଜ୍ୟର ୧୮ଟି ବିଧାନସଭା ସିଟ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୨ ନଭେମ୍ବରକୁ ଭୋଟ୍ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ସିଟ୍ ପାଇଁ ମଙ୍ଗଳବାର ନିର୍ବାଚନ ହେବ । ରାଜ୍ୟରେ ଲଗାତାର ୧୫ ବର୍ଷ ଧରି ବିଜେପି ସରକାର ଅଛି ଓ ରମଣ ସିଂହ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି ।