କେଉଁଠି ଝିଅ ପାଇଁ ତ କେଉଁଠି ପୁଅ ପାଇଁ ପ୍ରଚାର ମୈଦାନରେ ଓହ୍ଲାଇଲେ ବାପା । ଘର ଘର ବୁଲି ମାଗୁଛନ୍ତି ଭୋଟ୍

ସୁନ୍ଦରଗଡ ବିଧାୟକ ପ୍ରାର୍ଥୀ ଅମିତା ବିଶ୍ୱାଳଙ୍କ ପାଇଁ ପ୍ରଚାର କଲେ ହେମାନନ୍ଦ ବିଶ୍ୱାଳ, ସେପଟେ, ପୁଅ ଶିଶିର ଗମାଙ୍ଗଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ଗିରିଧାରୀ ।

169

କନକ ବ୍ୟୁରୋ: କେଉଁଠି ଝିଅ ପାଇଁ ତ କେଉଁଠି ପୁଅ ପାଇଁ ପ୍ରଚାର ମଇଦାନରେ ଅବତିର୍ଣ୍ଣ କରିଛନ୍ତି ବାପା । ଗୁଣୁପୁରୁ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ପୁଅ ଶିଶିର ଗମାଙ୍ଗଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଗାଁ ଗାଁ ବୁଲି ପୁଅ ପାଇଁ ପ୍ରଚାର କରିଛନ୍ତି ଗିରିଧାରୀ ।

ବିଧାୟକ ଭାବେ ଶିଶିର ଗମାଙ୍ଗଙ୍କୁ ଟିକେଟ ମିଳିବା ପରେ ଗୁଣୁପୁର ବିଜେପିରେ ବିଦ୍ରୋହ ଦେଖାଦେଇଛି । ବିଜେପି ଟିକେଟରୁ ବଂଚିତ ହୋଇଥିବା ରାମ ମୁରତି ମୁଟିକା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ପୁଅ ଶିଶିର ଗମାଙ୍ଗଙ୍କୁ ନିର୍ବାଚନୀ ବୈତରଣି ପାର କରିବା ପାଇଁ ପ୍ରଚାର ମୈଦାନରେ ପହଂଚିଛନ୍ତି ଗିରିଧାରୀ ଗମାଙ୍ଗ । ୱାର୍ଡ଼ ୱାର୍ଡ଼ ବୁଲି ଭୋଟ ଭିକ୍ଷା କରୁଛନ୍ତି ଗିରିଧାରୀ ।

ସେପଟେ, ସୁନ୍ଦରଗଡର ୪୦ ଡିଗ୍ରୀର ଖରା ତାତି ଠାରୁ ବଳିଯାଇଛି ରାଜନୈତିକ ତାତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ସହର ଠାରୁ ଗାଁ ଆଉ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲିଛି ଜୋରସୋର ପ୍ରଚାର । ଆଉ ଏହିକ୍ରମରେ ଆଜି ସୁନ୍ଦରଗଡରେ ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ ।

ସାନ ଝିଅ ଅମିତା ବିଶ୍ୱାଳଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବାପା ହେମାନନ୍ଦ ବିଶ୍ୱାଳ । ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି ହେମାନନ୍ଦ । ଆଉ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ରାଜନୀତି ବାପ ଝିଅକୁ କିଭଳି ଅଲଗା କରିପାରେ । ହେମାନନ୍ଦ କହିଛନ୍ତି ସୁନୀତା ମୋର ଝିଅ ମୋର ତା ପ୍ରତି ଆର୍ଶୀବାଦ ରହିବ, କିନ୍ତୁ ରାଜନୀତି ମଇଦାନରେ ସେ ମୋର ବିରୋଧୀ ।