ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କ୍ ! ମେୟର ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ, ପୋଲିସ ଉପରକୁ ଅଣ୍ଡା ଟମାଟୋ ମାଡ

170

କନକ ବ୍ୟୁରୋ : ଗୋଲଡେନ୍ ବାବାଙ୍କ ନେତା କନେକ୍ସନ ନେଇ ରାଜନୀତିରେ ଝଡ଼ । ଗୋଲଡେନ୍ ବାବାଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଭୁବନେଶ୍ୱର ମେୟର ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ । ଆଉ ଏହି ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ଗୋଲଡେନ ବାବାର ପଲିଟିକାଲ କନେକସନକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଭୁବନେଶ୍ୱର ମେୟର ଅନନ୍ତ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ କର୍ମୀ । ଶିଶୁଭବନ ଛକ ନିକଟରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇବା ବେଳେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀ ମାନେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଶ୍ କିଛି ସମୟ ଧରି ଚାଲିଥିଲା ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ପୁଲିସ ଉପରକୁ ଅଣ୍ଡା ଓ ଟମାଡୋ ମାଡ କରିଥିଲେ ଆନ୍ଦୋଳନକାରୀ । ଡିସିପି ଅନୁପ ସାହୁଙ୍କ ଉପରେ ମଧ୍ୟ ଅଣ୍ଡା ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା । ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍ଡେନ ବାବାଙ୍କ ଠକେଇ ପଦାକୁ ଆସିବା ପରେ ସାମନାକୁ ଆସିଥିଲା ଗୋଲଡେନ ବାବାଙ୍କ ସହ ନେତା ମନ୍ତ୍ରୀଙ୍କ ଫଟୋ । ଗୋଲଡେନ ବାବାଙ୍କ ସହ ମେୟର, ମନ୍ତ୍ରୀ ଓ ନେତାଙ୍କ ଫଟୋ ଭାଇରାଲ ହୋଇଛି । ଫଟୋ କହୁଛି ନେତାଙ୍କ ସହ ଗୋଲଡେନ ବାବା ଥିଲେ କେତେ ଅନ୍ତରଙ୍ଗ । ବିଜେଡି ର‌୍ୟାଲିରେ ବଡ଼ ବଡ଼ ନେତାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ନେତାଙ୍କ ସହ ମିଶି ନେତା ବନିବାର ସ୍ୱପ୍ନ ଦେଖୁଥିଲା ଗୋଲଡେନ ବାବା । ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଅକଳରେ ପକାଇବାକୁ ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।

୧୧୦ କୋଟିର ଡିଲକୁ ନେଇ ଫ୍ରଡ୍ କରୁଥିବା ବେଳେ ପୁଲିସ ହାତରେ ଧରା ପଡିଥିଲା ଗୋଲଡେନ୍ ବାବା । ଦେହ ସାରା ସୁନାରେ ଛାଉଣୀ କରିଥିବା ଏହି ଗୋଲଡେନ୍ ବାବାର ପୋଲ ଧିରେ ଧିରେ ଖୋଲିବାରେ ଲାଗିଛି । କମ୍ ଦିନ ଭିତରେ କିପରି କୋଟି କୋଟି ଟଙ୍କାର ଅଧିକାରୀ ହେଲେ, ଏ ନେଇ ଚାଲିଛି ଛାନଭିନ୍ । ଇଓଡବ୍ଲୁ ହାତକୁ ମାମଲା ଯିବା ପରେ ରିମାଣ୍ଡରେ ଆଣି ଖୋଳତାଡ଼ କରିବ କ୍ରାଇମବ୍ରାଂଚ ।