ଅଭିନେତାଙ୍କ ମୁହଁରେ ରାଜନୀତିର କଥା ! କହୁଛନ୍ତି କମ ହେଲେ ଝୁଣ୍ଟୁଛନ୍ତି ଅଧିକ

91

କନକ ବ୍ୟୁରୋ : ଓଡ଼ିଶା ପଲିଟିକ୍ସରେ ଏବେ ଦକ୍ଷିଣ ଭାରତର ଟ୍ରେଣ୍ଡ । ଯେଉଁ ଦଳ ଉପରେ ନଜର ପକାଇବେ ସେଠାରେ ମିଳିବେ ମାଳମାଳ ଓଲିଉଡର ଅଭିନେତା ଓ ଅଭିନେତ୍ରୀ । ରାଜନୀତିରେ ଫିଲ୍ମଷ୍ଟାର ଯୋଗ ଦେବା କିଛି ନୂଆ କଥା ନୁହେଁ । ଏପରିିକି କିଛି ଫିଲ୍ମଷ୍ଟାର ରାଜନୀତିରେ ସଫଳ ହୋଇଥିବା ବେଳେ ଅନ୍ୟ କିଛି ରାଜନୀତି ମୈଦାନରେ ମାତ ଖାଇଛନ୍ତି । କିନ୍ତୁ ରାଜନୀତିକ ଦଳରେ ଯୋଗ ଦେଉଥିବା ଫିଲ୍ମଷ୍ଟାରଙ୍କର ରାଜନୀତିରେ ଜ୍ଞାନ କେତେ । ଓଡ଼ିଶା ରାଜନୀତି ବିଷୟରେ ଏମାନେ କେତେ ଜାଣିଛନ୍ତି । ଏକଥା ଆମେ ଏଥିପାଇଁ କହୁଛୁ କାରଣ ଗତ କିଛି ଦିନ ଧରି ଅଭିନେତାରୁ ନେତା ପାଲଟିଥିବା କିଛି ଫିଲ୍ମଷ୍ଟାର ଏଭଳି ବୟାନ ଦେଉଛନ୍ତି ଯାହାକୁ ନେଇ ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଅଭିନେତା କମ ନେତାଙ୍କ ଏଭଳି କିଛି ବୟାନ ଫିଲ୍ମଷ୍ଟାରଙ୍କ ସାଧାରଣ ଜ୍ଞାନକୁ ପଦାରେ ପକାଇଛି । ଏଠାରେ ପ୍ରଶ୍ନ ଉଠୁଛି ଏଭଳି ଫିଲ୍ମଷ୍ଟାରଙ୍କୁ ନେତା ଭାବେ କେତେଦୂର ଗ୍ରହଣ କରିବେ ସାଧାରଣ ଜନତା । ଏଭଳି କିଛି ନେତାଙ୍କ ବୟାନ ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୂୁ ଯାହା ଜାଣିଲେ ଆପଣ ନେତାଙ୍କ ସାଧାରଣଜ୍ଞାନକୁ ସଲାମ କରିବାକୁ ଭୂଲିବେନି ।

ମହାଶ୍ୱେତା : ଧର୍ମେନ୍ଦ୍ର ହେଉଛନ୍ତି ରାଷ୍ଟ୍ରମନ୍ତ୍ରୀ
ବିଜେପୁର ନିର୍ବାଚନ ପାଇଁ ପଦ୍ମଦଳ ସଜବାଜ ହେଉଥିବା ବେଳେ ବିଗତ ଦିନର ଓଲିଉଡର ଚୁଲବୁଲି ଅଭିନେତ୍ରୀ ମହାଶ୍ୱେତା ଆଜି ବିଜେପିରେ ଯୋଗ ଦେଇଛନ୍ତି । ନରେନ୍ଦ୍ର ମୋଦିଙ୍କ ଆଦର୍ଶ ତାଙ୍କୁ ପଦ୍ମପୋଖରୀକୁ ଟାଣି ଆଣିଛି ବୋଲି ମହାଶ୍ୱେତା କହିଛନ୍ତି । ମହାଶ୍ୱେତାଙ୍କର ମଧ୍ୟ ଓଡ଼ିଶାର ଗାଁ ଗହଳିରେ ଜବରଦସ୍ତ କ୍ରେଜ ରହିଛି । ରାଜନୀତିକ ପାର୍ଟିରେ ଯୋଗ ଦେଇଥିବା ମହାଶ୍ୱେତାଙ୍କର ରାଜନୀତି ଜ୍ଞାନ ଶୁଣିଲେ ଆପଣ ଚକିତ ହେବେ । କାରଣ ମହାଶ୍ୱେତାଙ୍କ ନଜରରେ ଧର୍ମେନ୍ଦ୍ର ହେଉଛନ୍ତି ରାଷ୍ଟ୍ରମନ୍ତ୍ରୀ । ଏକଥା ମହାଶ୍ୱେତା ନିଜେ ଆଜି ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ଅବଶ୍ୟ ଧର୍ମେନ୍ଦ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ କହିବା ପରେ ପାଖରେ ଥିବା ବନ୍ଧୁ ମାନେ ମହାଶ୍ୱେତାଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରକୃତ ପରିଚୟ ଦେବା ପରେ ନିଜ ଭୂଲ ବୁଝିଥିଲେ ଏହି ଅଭିନେତ୍ରୀ । ଏପରିିକି ଧେର୍ମେନ୍ଦ୍ରଙ୍କୁ ଅଧିକ ପ୍ରଂଶସା କଲେ କାଳେ ଅଧିକ ଭୂଲ ବାହାରିବ ସେଥିପାଇଁ ଆଉ ଅଧିକ କିଛି ନକହି ଚୁପ ରହିବାକୁ ଠିକ ଭାବିଥିଲେ ମହାଶ୍ୱେତା ।

ଅନୁ ଚୌଧୁରୀ : ଧର୍ମେନ୍ଦ୍ର ହେଉଛନ୍ତି ମୁଖ୍ୟମନ୍ତ୍ରୀ
ଧର୍ମେନ୍ଦ୍ର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଏକଥା ଆମେ କହୁନୁ ସଦ୍ୟ ପଦ୍ମ ପୋଖରୀକୁ ଡିଆଁ ମାରିଥିବା ଓଲିଉଡ ନାୟିକା ଅନୁ ଚୌଧୁରୀଙ୍କ ଭାଷାରେ ଧର୍ମେନ୍ଦ୍ର କୁଆଡେ ମୁଖ୍ୟମନ୍ତ୍ରୀ । ଏଭଳି କଥା ସର୍ବସାଧାରଣ ସ୍ଥଳରେ ହସି ହସି କହିଛନ୍ତି ଅନୁ ଚୌଧୁରୀ । କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସାଇକ୍ଲୋଥନ ଉତ୍ସବରେ ଶହ ଶହ ଲୋକଙ୍କ ସମ୍ମୁଖରେ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନା କରିଥିଲେ ଅନୁ । ସକାଳୁ ସକାଳୁ ଅନୁଙ୍କ ଏଭଳି ରାଜନୀତି ଜ୍ଞାନ ଅନେକ ଲୋକଙ୍କୁ କିଛି ସମୟ ପାଇଁ ଆଶ୍ଚଯ୍ୟ କରିଥିଲା । କେନ୍ଦ୍ରମନ୍ତ୍ରୀରୁ ଧର୍ମେନ୍ଦ୍ର କେତେବେଳେ ଯେ ମୁଖ୍ୟମନ୍ତ୍ରୀ ହେଲେ ତାହା କାହିଁ ଆମେ ଜାଣି ପାରିଲୁ ନାହିଁ ।

ହରିହର ମହାପାତ୍ର : ବିଜେଡି ଜିତିବ
ବିରୋଧୀ ଦଳ ବିଜୟୀ ହେଉ ଏକଥା କିଏ ବା ଚାହିଁବ । କିନ୍ତୁ ଏଭଳି ଘଟଣା ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି । ବେକରେ ପଦ୍ମ ପତାକା କିନ୍ତୁ ମୁହଁରେ ଶଙ୍ଖ ଦଳର ବିଜୟୀ ଗାଥା । ଏଭଳି ବୟାନ ଅନ୍ୟ କେହି ନୁହେଁ ବରଂ ଅଭିନେତାରୁ ବିଜେପି ନେତା ପାଲଟିଥିବା ଓଲିଉଡର କମେଡି କିଙ୍ଗ ହରିହର ମହାପାତ୍ର କହିଛନ୍ତି । ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ଜନସମୁଦ୍ରକୁ ଦେଖି ‘ବିଜେଡି’ ଜିତି ସାରିଲାଣି ବୋଲି ଦମ୍ଭର ସହ କହିଥିଲେ ହରିହର । ଅତ୍ୟଧିକ ଉତ୍ସାହ ଯୋଗୁଁ ହରିହରଙ୍କ ମୁହଁରେ ବିଜେଡିର ବିଜୟ ଗାଥା ବାହାରିଥିଲା । କହୁ କହୁ ଏତେବଡ କଥା କହି ଦେଇଥିଲେ ଯେ ତାହାକୁ କ୍ୟାମେରାରେ କଏଦ କରି ନେଇଥିଲେ ଗଣମାଧ୍ୟମ ପ୍ରତିନିଧି । ଯାହା ହରିଙ୍କ ରାଜନୀତିକ ଜ୍ଞାନକୁ ପଦାରେ ପକାଇଥିଲା ।

ରାଜନୀତିକୁ ଅଭିନେତା ଆସିବା ସ୍ୱାଗତଯୋଗ୍ୟ । କିନ୍ତୁ ରାଜନୀତିରେ ଜ୍ଞାନ ନଥିବା ଫିଲ୍ମଷ୍ଟାର ମାନେ ରାଜନୈତିକ ଦଳରେ ଯୋଗ ଦେଇ ପ୍ରଚାର କରିବା କେତେ ଦୂର ଯୁକ୍ତିଯୁକ୍ତ । ରାଜନୈତିକ ଦଳରେ ଫିଲ୍ମଷ୍ଟାରଙ୍କୁ ସାମିଲ କରିବା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି । ପ୍ରଶ୍ନ ଉଠୁଛି ନେତାଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ଅଭିନେତା ଓ ଅଭିନେତ୍ରୀ ଅଧିକ ଦରକାର ପଡୁଛନ୍ତି କି? । ରାଜନୀତିକୁ ମସଲା ଯୁକ୍ତ କରିବା ପାଇଁ ଅଭନେତା ଓ ଅଭିନେତ୍ରୀଙ୍କୁ ବ୍ୟବହାର କରାଯାଉଛି କି? ଏସବୁ ବ୍ୟତୀତ ଅଭିନେତା ମଧ୍ୟ ରାଜନେତାଙ୍କ ଭଳି ଦଳ ଡିଆଁ ଅଭ୍ୟାସକୁ ଆପଣାଇ ନେଇ ସାରିଲେଣି । ପୂର୍ବରୁ ବିଜେଡିରେ ଥିବା ମିହିର ଦାସ ବିଜେପି କ୍ୟାମ୍ପରେ ଯୋଗ ଦେବା ଓ ୨୦୧୪ରେ ବିଜେଡି ପାଇଁ ପ୍ରଚାର କରୁଥିବା ମହାଶ୍ୱେତା ପଦ୍ମ ପୋଖରୀକୁ ଆସିବା ଏହାର ଗୋଟିଏ ଗୋଟିଏ ଉଦାହରଣ । କିନ୍ତୁ ରାଜନୀତିର ଜ୍ଞାନ ନଥିବା ଫିଲ୍ମଷ୍ଟାରଙ୍କୁ ଭୋଟର କେତେ ଦୂର ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।