ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଂଚଳ, ବିରୋଧ ପାଇଁ ଅଂଟା ଭିଡିଲା ଯୁବ କଂଗ୍ରେସ, ବିଜେଡି କହିଲା, ପଡିବନି ପ୍ରଭାବ ।

26

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ଜୋରଧରିଛି ରାଜନୀତି । ଅମିତଶାହାଙ୍କ ଓଡିଶା ଗସ୍ତକୁ ଯୁବ କଂଗ୍ରେସ ବିରୋଧ କରିବ ବୋଲି ଚେତାବନୀ ଦେଇଥିବା କଂଗ୍ରେସର ଆଭିମୁଖ୍ୟକୁ ସମାଲୋଚନା କରିଛି ବିଜେପି । ଆଉ ଏସବୁ ଭିତରେ ଅମିତ ଶାହାଙ୍କ ଗୃର ପ୍ରଭାବ ନେଇ ଆରମ୍ଭ ହୋଇଛି ଆକଳନ । ଉଭୟ ବିଜେଡି ଓ କଂଗ୍ରେସ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଯୁକ୍ତି ରଖିଥିବା ବେଳେ ବିଜେପି କହୁଛି-ସମୀକ୍ଷା ପାଇଁ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ପୂର୍ବ ଭାରତ, ବିଶେଷ କରି ଓଡ଼ିଶାକୁ ଫୋକସରେ ରଖିଥିବା ବିଜେପି, ୨୦୧୯ ପାଇଁ ଏକ ବଡ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ସଫଳରୂପ ଦେବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ଦଳ । ଆଉ ଏହି କ୍ରମରେ ଆସନ୍ତା ୧ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ୨୦୧୯ ପୂର୍ବରୁ କେମିତି ହେବ ରଣନୀତି? ଲକ୍ଷ୍ୟ ପୂରଣରେ କେତେ ବାଟ ଆଗେଇଲା ଓଡ଼ିଶା ସଂଗଠନ ? ଏହି ସବୁ ପ୍ରସଙ୍ଗରେ ଜୋର ଦେବେ ଅମିତ ଶାହା ।

ଅମିତ ଶାହାଙ୍କ ଏହି ଓଡ଼ିଶା ଗସ୍ତ କିନ୍ତୁ ପୂର୍ବ ଭଳି ଏତେ ସହଜ ହେଲା ଭଳି ମନେ ହେଉ ନାହିଁ  । କାରଣ ଏଥର ଅମିତ ଶାହାଙ୍କ ବାଟ ଓଗାଳିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ବିଶେଷ କରି କଂଗ୍ରେସ, ଅମିତ ଶାହାଙ୍କ ଗସ୍ତକୁ ବିରୋଧ କରିବ ବୋଲି ସ୍ପଷ୍ଟ କରି ଦେଇଛି । ଯାହାର ଏକ ଝଲକ୍ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଦେଖିବାକୁ ମିଳିଛି । ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରାଯାଇଛି । ବଡ କଥା ହେଉଛି ବିଜେପି ଦେଶବ୍ୟାପୀ ଦଳୀୟ ସଂଗଠନକୁ ମଜବୁତ କରି, ୨୦୧୪ର ସଫଳତାକୁ ୨୦୧୯ରେ ଦୋହରାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ସମସ୍ତ ୫୪୩ଟି ଆସନରେ ପ୍ରଭାରୀ  ନିଯୁକ୍ତି ପାଇଁ ଘୋଷଣା କରିଛି । ଠିକ୍ ଏମିତି ବେଳେ ପ୍ରଶ୍ନ ହେଉଛି- ଓଡ଼ିଶା ଉପରେ କ’ଣ ପଡ଼ିବ ଅମିତ ଶାହାଙ୍କ ଗସ୍ତର ପ୍ରଭାବ ?

କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଉପସ୍ଥିତି ରାଜନୀତିକୁ କେତେ ପ୍ରଭାବିତ କରିବ ତାହା ତ’ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ହେଲେ ଓଡ଼ିଶାରେ ବିଜେପି, ନିଜ ଲକ୍ଷ୍ୟ ପୂରଣ କରିବା ଏତେଟା ସହଜ ହେବ ନାହିଁ । କାରଣ କଳାଧନ ଏବଂ ଦରବୃଦ୍ଧିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଘେରୁଥିବା ବେଳେ ମହାନଦୀ ପ୍ରସଙ୍ଗରେ ବିଜେଡିର ମୁଖ୍ୟ ଟାର୍ଗେଟରେ ରହିଛି ବିଜେପି ।