୮୨ ବର୍ଷ ବୟସରେ ଆଖିବୁଜିଲେ ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ । ଦଳୀୟ କାର୍ଯ୍ୟାଳୟରେ ଶେଷ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

128

କନକ ବ୍ୟୁରୋ: ରାଜ୍ୟ ରାଜନୀତି ବର୍ଷିଆନ୍ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଛି । ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ବେଦପ୍ରକାଶ । ୬ ଥର ବିଧାୟକ ରହିଥିବା ବେଦପ୍ରକାଶ ଅଗ୍ରୱାଲ ଚଳିତ ନିର୍ବାଚନରେ ପାଟକୁରା ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ାରେ ଦୁଃଖର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠନେତା ଶୋକ ବ୍ୟକ୍ତ କରିଛନ୍ତି ।

ଯେଉଁ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରୁଥିଲେ, ସେହି ଦଳୀୟ କାର୍ଯ୍ୟାଳୟରେ ଅନ୍ତିମ ବିଦାୟ ନେଇଛନ୍ତି ରାଜ୍ୟ ରାଜନୀତିର ପୁରୁଖା ତଥା ଅନୁଭବୀ ନେତା ବେଦପ୍ରକାଶ ଅଗ୍ରୱାଲ । ବେଦପ୍ରକାଶଙ୍କ ପାର୍ଥିବ ଶରୀରକୁ ପ୍ରଥମେ ସରକାର ବାସଭବନକୁ ନିଆଯାଇ ଶ୍ରଦ୍ଧାଜଂଳି ଦିଆଯିବା ପରେ ଦଳୀୟ କାର୍ଯ୍ୟାଳୟରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମୀ । ମରଶରୀରରେ ଦଳୀୟ ପତାକା ଆଚ୍ଛଦିତ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ବିଜେଡି ସୁପ୍ରିମୋ ।

ରାଜ୍ୟ ରାଜନୀତିରେ ପ୍ରାୟ ୫ ଦଶନ୍ଧି ଧରି ସକ୍ରିୟ ଥିଲେ ବେଦପ୍ରକାଶ । ୧୯୭୪ ମସିହାରେ ଉକ୍ରଳ କଂଗ୍ରେସରୁ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଅଭିଯାନ । ପ୍ରଥମେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏହି ଆସନରେ ୪ ଥର ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ପାଟକୁରାରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବେଦପ୍ରକାଶ । ବିଜୁ ପଟ୍ଟନାୟକଙ୍କ ସରକାରରେ ଅର୍ଥମନ୍ତ୍ରୀ ରହିଥିବା ବେଳେ ବିଭିନ୍ନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ଏହି ଅନୁଭବୀ ନେତା ।