ବିଜେପି କହିଲା ଦାମଙ୍କୁ ଜେଲ ପଠାଅ । ଦାମ କହିଲେ, ପ୍ରଭାରୀ ପଦ ଛାଡି ଡିଜିପି ହୋଇଯାଆନ୍ତୁ ଅରୁଣ ସିଂହ

41

କନକ ବ୍ୟୁରୋ : କୃଷିିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଜେଲ ପଠାଅ ।ଚାଷୀ ପ୍ରସଙ୍ଗରେ ଯେତେ ଚେତାଇଲେ ବି ରାଜ୍ୟ ସରକାର ଚେତୁନାହାନ୍ତି । କିଛି ଏଭଳି ଢଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ । ସେ କହିଛନ୍ତି, ଚାଷୀର ମୈାଳିକ ସମସ୍ୟା ପ୍ରତି ରାଜ୍ୟ ସରକାର ସଚେତନ ହେଉନାହାନ୍ତି ଯାହାର ଜବାବ ଆଗାମୀ ଦିନରେ ରାଜ୍ୟବାସୀ ଦେବେ । ୧୭ ବର୍ଷ ପରେ ବି ଚାଷୀର ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ । ଏପରିକି ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ଅରୁଣ ସିଂହ କହିଛନ୍ତି ।

ଆଉ ଏହାର ଜବାବରେ କୃଷିମନ୍ତ୍ରୀ ଦାମୋଦର ରାଉତ ଅରୁଣ ସିଂଙ୍କୁ ସମାଲୋଚନା କରି କହିଛନ୍ତି, ପ୍ରଭାରୀ ଦାୟିତ୍ୱ ଛାଡି ପୋଲିସ ଡିଜି ହୋଇଯାଆନ୍ତୁ ଅରୁଣ ସିଂ । ପରୋକ୍ଷ ଭାବେ ଚାଷୀ ଆତ୍ମହତ୍ୟାକୁ ନେଇ ବିଜେପିକୁ ତୀର ମାରିଛନ୍ତି ଦାମ । କହିଛନ୍ତି, ଟଙ୍କା ଦେଇ ବିଜେପି ଯେଉଁ କାର୍ଯ୍ୟ ଭିଆଉଛି, ତାର ପର୍ଦ୍ଦାଫାଶ ହେଲେ ବିଜେପି ଆଉ ମୁହଁ ଦେଖାଇ ପାରିବନି । ଚାଷୀଙ୍କ ପାଇଁ ରାଜ୍ୟ ସରକାର କଣ କରୁଛି, ତାହା ଓଡିଶାର ଚାଷୀକୁଳ ଜାଣିଛି ।

ଗୋଟିଏ ପଟେ ରାଜ୍ୟରେ ଚାଷୀ ଦୁର୍ଦ୍ଦିନର ସାମ୍ନା କରୁଥିବା ବେଳେ ରାଜନୈତିକ ଟଣାଓଟରା କମ ହେବାର ନାଁ ଧରୁନାହିଁ । ପ୍ରଥମେ ମରୁଡି ପରେ ଚକଡା ଆଉ ଏବେ ଅଦିନିଆ ବର୍ଷା ଚାଷୀର ଅବସ୍ଥାକୁ ସଂଗୀନ କରୁଥିବା ବେଳେ ନେତା ରାଜନୀତିର ରୁଟି ସେକିବାରେ ବ୍ୟସ୍ତ ଅଛନ୍ତି । ଚାଷ ଉପରେ ନିର୍ଭର କରୁଥିବା ୭୦ ପ୍ରତିଶତ ଲୋକଙ୍କ ହୃଦୟ ଜିଣିବାକୁ ବାକ୍ୟବାଣ ଚଲାଉଥିବା ନେତା କିନ୍ତୁ ବାସ୍ତବ ସମସ୍ୟା ଠାରୁ ଢେର ଦୁରରେ ରହିଛନ୍ତି ।