କଂଗ୍ରେସ ପ୍ରତି ଗରମ, ବିଜେଡି ପ୍ରତି ନରମ ! ସମୀକ୍ଷକ କହିଲେ, ଭବିଷ୍ୟତକୁ ଦେଖି ବର୍ତମାନ ଚୁପ୍ ରହିଲେ ମୋଦି

182

କନକ ବ୍ୟୁରୋ : ବାରିପଦା ସଭାରେ ମୋଦିଙ୍କ ଅଭିଭାଷଣକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚା-ଆଲୋଚନା । ରାଜନୈତିକ ସମୀକ୍ଷକ କହିଛନ୍ତି, କିଛି ମାସ ପରେ ସାଧାରଣ ନିର୍ବାଚନ, ମୋଦିଙ୍କୁ ରାଜ୍ୟରେ ଆଂଚଳିକ ଦଳର ସହଯୋଗ ଦରକାର ପଡିପାରେ । ତେଣୁ ମୋଦି ବିଜେଡି କିମ୍ବା ନବୀନଙ୍କୁ ସିଧାସଳଖ ଟାର୍ଗେଟ୍ କରିନାହାଁନ୍ତି । ସେପଟେ ମୋଦି ଯିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

ମୋଦିଙ୍କ ବାରିପଦା ଗସ୍ତକୁ କିଛି ଏଭଳି ଦେଖିଛନ୍ତିି ରାଜନୈତିକ ସମୀକ୍ଷକ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଦଳର ପରାଜୟ ପରେ ମୋଦିଙ୍କ ରଣନୀତି ବଦଳିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦିଙ୍କୁ ଓଡିଶାରେ ଆଂଚଳିକ ଦଳର ସହଯୋଗ ଆବଶ୍ୟକ ପଡିପାରେ । ତେଣୁ ମୋଦି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିନାହାଁନ୍ତି ବୋଲି ରାଜନୈତି ସମୀକ୍ଷକ କହିଛନ୍ତି ।

କଂଗ୍ରେସ ପ୍ରତି ଗରମ, ବିଜେଡି ଓ ନବୀନଙ୍କ ପ୍ରତି ନରମ । ବାରିପଦାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ କଣ ସଙ୍କେତ ଦେଉଛି, ତାକୁ ନେଇ ଚର୍ଚା ଜାରି ରହିଛି । ଖୋର୍ଦ୍ଧା ସଭାରେ ମୋଦି, ନବୀନଙ୍କ ନାଁ ନନେଇଥିଲେ ବି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ହେଲେ ବାରିପଦାରେ ଯେପରି ମୋଦିଙ୍କ ଟାର୍ଗେଟରେ ଥିଲା କଂଗ୍ରେସ ।

ବାରିପଦାରେ ମୋଦିଙ୍କ ଆଭିମୁଖ୍ୟ, ରାଜ୍ୟରେ ବିଜେଡି-ବିଜେପି ମେଂଟ ଆଡକୁ ଇଙ୍ଗିତ କରୁଛି ବୋଲି କଂଗ୍ରେସ କହିଛି । ତେବେ ବିଜେଡି କହିଛି, ଏବେବି ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ଅବଲମ୍ବନ କରୁଛି । ମୋଦିଙ୍କ ବାରିପଦା ଗସ୍ତର ପ୍ରଭାବ, ରାଜ୍ୟ ବିଜେପି ପାଇଁ ଟିକେ ନିରାଶା ଆଣିଛି । ଅନ୍ୟପଟେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ । ୧୬ ତାରିଖ ପରିବର୍ତେ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବେ । ଏହି ସମୟରେ ବଲାଙ୍ଗୀରରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି  । ସେଠାରେ ମେଗା ରାଲି କରିବା ସହ ସ୍ୱାଭିମାନ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବାରିପଦା ଗସ୍ତର ମାତ୍ର ଗୋଟିଏ ସପ୍ତାହ ବ୍ୟବଧାନରେ ମୋଦି ଓଡ଼ିଶା ଆସିବା ଘଟଣାକୁ ରାଜନୈତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି  । ୨୦୧୮ ଡିସେମ୍ବର ୨୪ ତାରିଖରେ ମୋଦି ଖୋର୍ଦ୍ଧାର ଅରଗୁଳ ଏବଂ ଜାନୁଆରୀ ୫ ତାରିଖରେ ବାରିପଦା ଆସିଥିଲେ । ଏଥିରୁ ୨୦୧୯ ନିର୍ବାଚନ ପାଇଁ ବିଜେପି ଫୋକସରେ ଆଗକୁ ଓଡ଼ିଶା ଥିବା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି  ।