ରାଜଧାନୀରେ ରାଜନୀତିର ଦଙ୍ଗା : ବିଜେପିର ପିକେଟିଂ ବେଳେ ବିଜେଡି କର୍ମୀଙ୍କ ଆତଙ୍କରାଜ

25

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଟପି ଗଲେ ସବୁ ସୀମା । ବନ୍ଦ ନାଁରେ ବଦମାସି । ନେତା ବନିଲେ ଗୁଣ୍ଡା । ବିଜେପିର ୧୨ ଘଂଟିଆ ବନ୍ଦ ବେଳେ ଆଜି ଯେଉଁ ଚିତ୍ର ରାଜଧାନୀର ରାସ୍ତାରେ ଦେଖିବାକୁ ମିଳିଲା, ସବୁଥିଲା ଆକଳନ ବାହାରେ । ବିଜେପି କର୍ମୀଙ୍କ ବନ୍ଦକୁ କାଉଂଟର କରିବାକୁ ଠେଙ୍ଗାବାଡି କୋଡି କୋଦାଳ ଧରି ବାଣୀବିହାରରୁ ବାହାରିଥିଲେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ । ଏହାପରେ ବାଣୀବିହାର ପାଲଟିଥିଲା ଯୁଦ୍ଧ କ୍ଷେତ୍ର । ଛକ ମଝିରେ ସୃଷ୍ଟି ହୋଇଥିଲା ଆତଙ୍କର ପରିବେଶ । ପିକେଟିଂ କରୁଥିବା ବିଜେପି କର୍ମୀଙ୍କୁୁ ନିର୍ଧୁମ ମାଡ ମାରୁଥିଲେ ଶାସକ ଦଳର କର୍ମୀମାନେ । ଆଉ ସଂଖ୍ୟା କମ୍ ଥିବା ଦୃଷ୍ଟିରୁ ଆନ୍ଦୋଳନକାରୀ ବିଜେପି କର୍ମୀ ଛତ୍ରଭଙ୍ଗ ଦେଉଥିଲେ । ଏହାପରେ ଛାତ୍ର ବିଜେଡିର ଏହି କର୍ମୀମାନେ ବାଇକରେ ବୁଲି ବୁଲି ରାଜଧାନୀର ବିଭିନ୍ନ ଅଂଚଳରେ ଆତଙ୍କରାଜ୍ ଚଳାଉଥିଲେ । ଆଉ ମଝିରେ ରହି ପୋଲିସ ବୁଝାସୁଝା କରୁଥିଲା ।

ମାତ୍ର କିଛି ଘଂଟା ପରେ ଆରମ୍ଭ ହେଲା ରାଜନୈତିକ ଦଙ୍ଗା । ବିଜେଡିର ଆକ୍ରମଣକୁ କାଉଂଟର କରିବାକୁ ବିଜେପିର ଯୁବ ନେତା ଏକାଠି ହୋଇଥିଲେ । ଆଉ ଶହ ଶହ ବିଜେପି କର୍ମୀ ହାତରେ ଲାଠି ଧରି ବିଜେଡି କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟୁଥିଲେ । କିଛି ସମୟ ପାଇଁ ରଣଭୂମି ପାଲଟି ଯାଇଥିଲା ରାଜଧାନୀର ରାସ୍ତା । ଏପରିକି ସରକାରୀ ଅଫିସରେ ବି ଆତଙ୍କରାଜ ଚଳାଇଥିଲେ ବିଜେପି କର୍ମୀ ।

ରାଜନୈତିକ ଯୁଦ୍ଧରେ ପୋଡି ଗଲା ଗୋଟିଏ ପରେ ଗୋଟିଏ ମୋଟର ସାଇକେଲ । ବନ୍ଦ ନାଁରେ ଗାଡି ଭଙ୍ଗାରୁଜା,ସାଧାରଣ ଜନତାକୁ ଆକ୍ରମଣ,ଦୋକାନ ବଜାରରେ ଫିଙ୍ଗା ଫୋପଡା ।

ବିଜେପିର ବନ୍ଦକୁ କାହିଁକି ପ୍ରତିବାଦ କଲା ବିଜେଡି । ମେୟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏହାକଣ ଦଳର ନିର୍ଦ୍ଦେଶ ଥିଲା କି । ଏ ରାଜନୈତିକ ଦଙ୍ଗା ପାଇଁ କିଏ ଦାୟୀ । ଯାହା ଓଡିଶା ଇତିହାସରେ ସୃଷ୍ଟି କରିଛି ଏକ କଳଙ୍କିତ ଅଧ୍ୟାୟ ।