ମଧ୍ୟପ୍ରଦେଶରେ କ୍ଷମତା ଲଢେଇ । କଂଗ୍ରେସ ବିଧାୟକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଲେ କମଳନାଥ, କହିଲେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ସରକାର ପ୍ରସ୍ତୁତ ।

354

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ଜାରି ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୨ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟାଲଘୁ ପାଲଟିଛି କମଳନାଥ ସରକାର । ଏହାରି ଭିତରେ ଆଜି ରାଜ୍ୟପାଳଙ୍କୁ ଭେଟି ସଂଖ୍ୟାଗରିଷ୍ଠ ପ୍ରମାଣ ଦେବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ । ଏଥିସହ ବିଜେପି କଂଗ୍ରେସ ବିଧାୟକଙ୍କୁ ଅପହରଣ କରିନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭା ପାଇଁ ଦଳବଳ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି ।

ମଧ୍ୟପ୍ରଦେଶରେ କ୍ଷମତା ଲଢେଇ । ଆସ୍ଥା ଭୋଟର ସମ୍ମୁଖୀନ ହେବେ ସରକାର । ମଧ୍ୟପ୍ରଦେଶର ସାଂପ୍ରତିକ ରାଜନୈତିକ ସଂକଟକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ । ଶୁକ୍ରବାର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ଭେଟି ଆଗାମୀ ଅଧିବେଶନରେ ଆସ୍ଥାଭୋଟ ପାଇଁ ସରକାର ପ୍ରସ୍ତତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କଂଗ୍ରେସ ବିଧାୟକଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । କହିଛନ୍ତି, କଂଗ୍ରେସ ବିଧାୟକଙ୍କୁ ବନ୍ଦୀ କରି ରଖାଯାଇଛି, ତାଙ୍କୁ ଉଦ୍ଧାର କରାଯିବା ଜରୁରୀ । ଅପହୃତ ବିଧାୟକଙ୍କ ଉପସ୍ଥିତିରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଆଯିବ ବୋଲି କହିଛନ୍ତି କମଳନାଥ ।

ସେପଟେ ବିଧାନସଭା ବାଚସ୍ପତି ଏନପି ପ୍ରଜାପତି ୨୨ ବିଧାୟକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ବିଧାୟକମାନେ ବ୍ୟକ୍ତିଗତ ଭାବେ ହାଜର ହୋଇ ବିନା ଚାପରେ ଇସ୍ତଫା ଦେଇଥିବା କହିବାକୁ ପଡିବ । ବିଧାୟକମାନେ ଚାପରେ ଇସ୍ତଫା ଦେଇ ନାହାନ୍ତି ଏହା ପୁଷ୍ଟି କରିବା ବାଚସ୍ପତିଙ୍କ କାମ ବୋଲି କହିଛନ୍ତି ଏନପି ପ୍ରଜାପତି । ସେପଟେ ଦଳ ବଳ ସହ ଆସି ବିଧାନସଭା କାର୍ଯ୍ୟାଳୟରେ ରାଜ୍ୟସଭା ନାମାଙ୍କନ ଦାଖଲ କରିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୨ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟାଲଘୁ ହୋଇପଡିଛି କମଳନାଥ ସରକାର । ଆଉ ଏପଟେ ବିଜେପି ଆସ୍ଥାଭୋଟ ଜରିଆରେ କଂଗ୍ରେସ ସରକାରକୁ ଭାଙ୍ଗି କ୍ଷମତା ଅକ୍ତିଆର ଯୋଜନା କରିଛି ।