ଜେଡିୟୁରୁ ପ୍ରଶାନ୍ତ ବିଦା । ୨୦୧୪ରେ ମୋଦିଙ୍କ ପାଇଁ ହାଇଟେକ ପ୍ରଚାର କରି ଥିଲେ ଚର୍ଚ୍ଚାରେ, ନୀତିଶ ସରକାରରେ ଥିଲେ ନମ୍ବର-୨ । କିନ୍ତୁ ହଠାତ୍ ଏମିତି କଣ ହେଲା ଯେ, ପ୍ରଶାନ୍ତଙ୍କ ପଲଟିକାଲ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ!

230

ପ୍ରଶାନ୍ତ କିଶୋର । ଜେଡିୟୁରୁ ସଜସଜ ବହିଷ୍କୃତ ହୋଇଥିବା ନେତା । ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ପ୍ରଶାନ୍ତଙ୍କୁ ଜେଡିୟୁରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନୀତିଶ କୁମାର । ନୀତିଶ ଓ ପ୍ରଶାନ୍ତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିବା ଯୋଗୁଁ ଜେଡିୟୁରୁ ବିଦା ହୋଇଛନ୍ତି ପ୍ରଶାନ୍ତ । ତେବେ କିଏ ପ୍ରଶାନ୍ତ କିଶୋର ଓ କିଭଳି ସେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ।

ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବ ଜଣାଶୁଣା ପ୍ରଶାନ୍ତ କିଶୋର ୨୦୧୪ ପରେ ପରେ ଲାଇମଲାଇଟକୁ ଆସିଥିଲେ । ଯେତେବେଳେ ମୋଦିଙ୍କ ଡିଜିଟାଲ କ୍ୟାମ୍ପେନ କଥା ଉଠିଥିଲା ସେତେବେଳେ ଏହା ପଛର ଥିବା ମୁଖ୍ୟ ନାୟକ ଥିବା ପ୍ରଶାନ୍ତ କିଶୋରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଏ ମୋଦିଙ୍କ ହାଇଟେକ ପ୍ରଚାରର ମଙ୍ଗ ଧରିଥିଲେ ପ୍ରଶାନ୍ତ । ଯାହା ବିଜେପିକୁ ୨୦୧୪ରେ ଶାସନ କ୍ଷମତାକୁ ଫେରାଇ ଆଣିଥିଲା । ଚା ପେ ଚର୍ଚ୍ଚା ଠାରୁ ଆରମ୍ଭ କରି ଅଚ୍ଛେ ଦିନ ଆୟେଙ୍ଗେ, ଅବକି ବାର ମୋଦି ସରକାର ଭଳି ନାରାର ମୁଖ୍ୟ ସୁତ୍ରଧର ଥିଲେ ପ୍ରଶାନ୍ତ । ଆଉ ଏହି ନାରା ସେତେବେଳେ ଦେଶବାସୀଙ୍କୁ ବେଶ ପ୍ରଭାବିତ କରିଥିଲା । ଯେଉଁଥିପାଇଁ ଦେଶରେ ଗେରୁଆ ବାନା ଉଡାଇଥିଲା ବିଜେପି ।

୨୦୧୪ରେ ମୋଦି ସରକାର ଆସିବା ପରେ ବିଜେପି ଓ ପ୍ରଶାନ୍ତଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ । ବିଜେପି ଚାଣକ୍ୟ ଅମିତ ଶାହାଙ୍କ ସହ ମତଭେଦ କାରଣରୁ ବିଜେପିକୁ ବାଏ ବାଏ କରିଥିଲେ ପ୍ରଶାନ୍ତ । ଆଉ ଏହାପରେ ବିହାରରେ ବିଜେପି ବିରୋଧୀ ମେଣ୍ଟରେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବେ ଏଣ୍ଟ୍ରି ମାରିଥିଲେ । ୨୦୧୫ ବିହାର ନିର୍ବାଚନରେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟର ପ୍ରଚାର ମଙ୍ଗ ସମ୍ଭାଳିଥିଲେ ପ୍ରଶାନ୍ତ । ଯାହାର ଫାଇଦା ମହାମେଣ୍ଟକୁ ମିଳିଥିଲା । ବିହାରରେ ବିଜେପି ଚିତପଟାଙ୍ଗ ମାରିଥିଲା । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ପ୍ରଶାନ୍ତ ।

ନିର୍ବାଚନରେ ଲଗାତାର ସଫଳତାର ଟ୍ରାକ ରେକର୍ଡ ହିଁ ପ୍ରଶାନ୍ତଙ୍କୁ ଜାତୀୟ ରାଜନୀତିରେ ଲୋକପ୍ରିୟ କରିଥିଲା । ନିର୍ବାଚନ ରଣାଙ୍ଗନରେ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାରେ ମାହିର ଥିବା ପ୍ରଶାନ୍ତଙ୍କୁ ନିଜ ଷ୍ଟ୍ରାଟେଜିଷ୍ଟ ବନାଇବାକୁ ରାଜନୈତିକ ଦଳ ମଧ୍ୟରେ ରେସ ଆରମ୍ଭ ହୋଇଥିଲା । ଆନ୍ଧ୍ରପ୍ରଦେଶରେ ନିଜର ଦମଦାର ଷ୍ଟ୍ରାଟେଜି ବଳରେ ଜଗନ ମୋହନଙ୍କୁ ଶାସନ ଗାଦିରେ ବସାଇବାକୁ ମଧ୍ୟ ସଫଳ ହୋଇଥିଲେ ପ୍ରଶାନ୍ତ ।

ଆଉ ଏସବୁ ଭିତରେ ଷ୍ଟ୍ରାଟେଜିଷ୍ଟ ଥିବା ପ୍ରଶାନ୍ତ ୨୦୧୮ରେ ସକ୍ରିୟ ରାଜନୀତିରେ ଏଣ୍ଟ୍ରି ମାରି୍ଥିଲେ । ତାଙ୍କୁ ଜେଡିୟୁରେ ସମ୍ପୂର୍ଣ୍ଣ ଭାବେ ସାମିଲ କରିବା ସହ ଦଳର ରାଷ୍ଟ୍ରୀୟ ଉପସଭାପତି କରିଥିଲେ ନୀତିଶ । ଖୁବ କମ ଦିନ ମଧ୍ୟରେ ନୀତିଶ ସରକାରରେ ନମ୍ବର ୨ ସ୍ଥାନ ଅକ୍ତିଆର କରିଥିଲେ ପ୍ରଶାନ୍ତ । ଏପରିକି ତାଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ପଛାଇ ନଥିଲେ ନୀତିଶ । ପ୍ରଶାନ୍ତଙ୍କୁ ବିହାରର ଭବିଷ୍ୟତ କହି ବିହାର ରାଜନୀତିରେ ନୂଆ ମୋଡ ଆଣିଥିଲେ । ତେବେ ବିହାରରେ ଜେଡିୟୁ ମହାଗଠବନ୍ଧନ ଛାଡି ବିଜେପି ହାତ ଧରି ସରକାର ଗଢିବାକୁ ସହଜରେ ହଜମ କରିପାରିନଥିଲେ ପ୍ରଶାନ୍ତ । ଯାହାକୁ ନେଇ ନୀତିଶ ଓ ପ୍ରଶାନ୍ତଙ୍କ ମଧୁର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଶାନ୍ତଙ୍କୁ ପୂରା ପ୍ରଚାରରୁ ଦୂରେଇ ରଖାଯାଇଥିଲା । ତେବେ ସିଏଏକୁ ନେଇ ନୀତିଶ-ପ୍ରଶାନ୍ତଙ୍କ ସମ୍ପର୍କ ଆହୁରି ବିଗିଡିଥିଲା । ଦୀର୍ଘ ଦିନର ବୟାନବାଜି ଭିତରେ ପ୍ରଶାନ୍ତଙ୍କୁ ଦଳରୁ ବିଦା କରି ଦେଢ ବର୍ଷର ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଚତୁର ନୀତିଶ ।