‘ଝାଡୁ’ ଧରି ଦିଲ୍ଲୀ ଦରବାରରେ ଝଡ ସୃଷ୍ଟି କରିଥିବା କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ । କେମିତି ମୋଦି ମ୍ୟାଜିକକୁ ପ୍ରତିହତ କରି ସାଜିଥିଲେ ଦିଲ୍ଲୀ ସମ୍ରାଟ୍, ୨୦ରେ ରିପିଟ୍ ହେବ କି ୧୫ର ଇତିହାସ ?

464

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ନାଁ ଏବେ ଘରେ ଘରେ ପରିଚିତ । ତେବେ ଏହି ନାଁକୁ ନେଇ ସେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଯେତେବେଳେ ସମାଜସେବୀ ଆନ୍ନା ହଜାରେ ଭ୍ରଷ୍ଟାଚାର ବିରୋଧରେ ଲୋକପାଳ ବିଲ ଆଗତ ପାଇଁ ଆନ୍ଦୋଳନ କରିଥିଲେ । ଆନ୍ନା ହଜାରେଙ୍କ ସହ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚାର ପରିସରକୁ ଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ସଫର ବି ଠିକ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ।

ଏପ୍ରିଲ ୨୦୧୧ ରୁ ଡିସେମ୍ବର ୨୦୧୧ । ଏହା ସେହି ସମୟ ଯେତେବେଳେ ଦିଲ୍ଲୀରେ ସମାଜସେବୀ ଆନ୍ନା ହଜାରେ ଲୋକପାଳ ବିଲ ଆଗତ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ । ଆନ୍ନାଙ୍କ ଦୁଇ ପ୍ରମୁଖ ସହଯୋଗୀ ଭାବେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ କିରଣ ବେଦୀ ଓ ଅରବିନ୍ଦ କେଜ୍ରିୱାଲ । ସାଧାସିଧା ପୋଷାକ ଆଉ ସାଧାରଣ ବ୍ୟକ୍ତିତ୍ୱକୁ ନେଇ ସଭିଁଙ୍କ ଆକର୍ଷଣର କେନ୍ଦ୍ର ସାଜିଲେ ଅରବିନ୍ଦ କେଜ୍ରିୱାଲ । କିଏ ଏହି ବ୍ୟକ୍ତି ତାହାକୁ ନେଇ ଗଣମାଧ୍ୟମରେ ଆରମ୍ଭ ହୋଇଗଲା ଚର୍ଚ୍ଚା ।

ହରିୟାଣାର ହିସସାର ଜିଲ୍ଲାରେ ଜନ୍ମିତ ଅରବିନ୍ଦ କେଜ୍ରିୱାଲ ଜଣେ ମେଧାବୀ ଛାତ୍ର ଥିଲେ । ଆଇଆଇଟି ଖଡଗପୁରରୁ ମେକାନିକାଲ ଇଂଜିନିୟରିଂରେ ବି-ଟେକ ଡିଗ୍ରୀ ହାସଲ କରିଛନ୍ତି କେଜ୍ରିୱାଲ । ଏହାପରେ ଇଣ୍ଡିଆନ ରେଭେନ୍ୟୁ ସର୍ଭିସରେ ସାମିଲ ହୋଇ ଆୟକର ବିଭାଗରେ ଜଏଣ୍ଟ କମିଶନର ଭାବେ ମଧ୍ୟ କାମ କରିଛନ୍ତି । ସମାଜସେବା ପ୍ରତି ସବୁବେଳେ ଆଗ୍ରହ ଥିବାରୁ ‘ପରିବର୍ତନ’ ନାମରେ ଏକ ଏନଜିଓ ଗଠନ କରି ଦିଲ୍ଲୀବାସୀଙ୍କ ସମସ୍ୟା ସମାଧାନ ଦିଗରେ କାମ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଯେଉଁଥିପାଇଁ ତାଙ୍କୁ ମେକ୍ସାସି ସମ୍ମାନରେ ସମ୍ମାନୀତ ମଧ୍ୟ କରାଯାଇଛି ।

ମାତ୍ର ସରକାରୀ ଚାକିରୀ ଭଲ ନଲାଗିବାରୁ ଚାକିରୀ ଛାଡି ସମ୍ପୂର୍ଣ୍ଣ ଭାବେ ସମାଜସେବା ଆରମ୍ଭ କରିଦେଇଥିଲେ କେଜ୍ରିୱାଲ । କିନ୍ତୁ କେଜ୍ରିୱାଲ ସେତେବେଳେ ଲାଇମ ଲାଇଟକୁ ଆସିଲେ, ଯେତେବେଳେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେଙ୍କ ସହ ମିଶି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇଲେ । ଏହାପରେ ଲୋକସେବା ପାଇଁ କିଛି ଅଧିକ କରିବାର ନିଶା ନେଇ ରାଜନୈତିକ ଦଳରେ ସାମିଲ ହେବାକୁ ଚିନ୍ତା କଲେ ଅରବିନ୍ଦ କେଜ୍ରିୱାଲ । ହେଲେ ଲୋକପାଳ ପାଇଁ କୌଣସି ରାଜନୈତିକ ଦଳ ସହ ଜଡିତ ରହିବେ ନାହିଁ ବୋଲି କହି ଅରବିନ୍ଦ କେଜ୍ରିୱାଲଙ୍କ ହାତ ଛାଡିଦେଲେ ଆନ୍ନା ହଜାରେ । ଏହାସହ ଅରବିନ୍ଦଙ୍କ ସାଥ ନଦେବା ପାଇଁ ‘ଇଣ୍ଡିଆ ଏଗନେଷ୍ଟ କରପସନ୍’ ଆନ୍ଦୋଳନରେ ଜଡିତ ଥିବା ସବୁ କର୍ମକର୍ତ୍ତାଙ୍କୁ ମଧ୍ୟ କହିଲେ ଆନ୍ନା ହଜାରେ । ଆଉ ଏହାପରେ ରାଜନୀତିରେ ପାଦ ଥାପିଲେ କେଜ୍ରିୱାଲ ।

୨ ଅକ୍ଟୋବର, ୨୦୧୨ । ‘ଆମ ଆଦମି ପାର୍ଟି’ ନାମରେ ନିଜର ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କଲେ ଅରବିନ୍ଦ କେଜ୍ରିୱାଲ । ତାଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ ପ୍ରମୁଖ ଦଳ ଭାବେ ମୁଣ୍ଡ ଟେକିଲା । କଂଗ୍ରେସ ସହ ମିଶି ପ୍ରଥମେ ୪୯ ଦିନର ସରକାର ଚଳାଇଲେ । ପରେ ଇସ୍ତଫା ଦେଲେ କେଜ୍ରିିୱାଲ । ଏହାର ୧ ବର୍ଷ ପରେ ପୁଣିଥରେ ଦିଲ୍ଲୀରେ ନିର୍ବାଚନ ହେଲା । ଆଉ ଏଥର ୭୦ଟି ଆସନରୁ ୬୭ଟି ଆସନ ଅକ୍ତିଆର କରି ରେକର୍ଡ ସୃଷ୍ଟି କଲା କେଜ୍ରିୱାଲଙ୍କ ଆମ ଆଦମି ପାର୍ଟି । ଆଉ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ଅରବିନ୍ଦ କେଜ୍ରିୱାଲ ।

ସାରା ଦେଶରେ ମୋଦି ମ୍ୟାଜିକ କାମ କରିଥିବା ବେଳେ ଦିଲ୍ଲୀରେ କିନ୍ତୁ ମୋଦି ମ୍ୟାଜିକକୁ ପ୍ରତିହତ କରି ପତିଆରା ଜାହିର କରିଥିଲେ କେଜ୍ରିୱାଲ । ସାଜିଥିଲେ ସମ୍ରାଟ, ଆଉ ଦଖଲ କରିଥିଲେ ଦିଲ୍ଲୀ । ସେବେଠାରୁ ଦିଲ୍ଲୀରେ ଜାରି ରହିଛି କେଜ୍ରିୱାଲ ରାଜ । ଦିଲ୍ଲୀବାସୀଙ୍କ ପାଇଁ ନେଇଥିବା ବଡ ସଂସ୍କାରମୂଳକ ପଦକ୍ଷେପ ହେଉ କିମ୍ବା ପ୍ରଶାସନରେ ସ୍ୱାଧୀନତା ପାଇଁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଆସିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।