ଜଙ୍ଗଲରେ ବୁଥ୍ ! କେବଳ ଜଣେ ମାତ୍ର ଭୋଟର ଦେବେ ଭୋଟ

58

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟର କୌଣସି ଜଣେ ମଧ୍ୟ ନାଗରିକ ଭୋଟ୍ ଦେବାରୁ ଯେଭଳି ବଞ୍ଚିତ ନହେବେ ସେ ଦିଗରେ ନିର୍ବାଚନ କମିସନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟ ରଖି ନିର୍ବାଚନ କମିସନ୍ କେବଳ ଜଣେ ଭୋଟରଙ୍କ ଲାଗି ଗୁଜରାଟର ଘଞ୍ଚ ଗିର୍ ଜଙ୍ଗଲରେ ଏକ ଭୋଟିଂ ବୁଥ୍ ପ୍ରତିଷ୍ଠା କରିଛନ୍ତି। ଏହି ବୁଥରେ ଭୋଟ୍ ଦେବେ ମହନ୍ତ ଭରତଦାସ ଗୁରୁ ଦର୍ଶନ ଦାସ।

ଗିର୍ ଜଙ୍ଗଲ ଜାତୀୟ ଉଦ୍ୟାନରେ ଅବସ୍ଥିତ ଥିବା ବାଣେଶ୍ୱର ମହାଦେବ ମନ୍ଦିରର ସେ ପୁରୋହିତ । ସେ ଦୀର୍ଘବର୍ଷ ଧରି ମନ୍ଦିର ପରିସରରେ ରହି ଆସୁଛନ୍ତି। ୨୦୦୨ ମସିହାଠାରୁ ନିର୍ବାଚନ କମିସନ୍ କେବଳ ଭରତ ଦାସଙ୍କ ପାଇଁ ଏହି ଘଞ୍ଚ ଜଙ୍ଗଲରେ ମତଦାନ କେନ୍ଦ୍ର ଆୟୋଜନ କରୁଛନ୍ତି। ଅନ୍ୟ ସମସ୍ତ ନିର୍ବାଚନ କେନ୍ଦ୍ରଗୁଡ଼ିକ ପରି ଏଠାରେ ମଧ୍ୟ ସମସ୍ତ ଷ୍ଟାଫ୍ଙ୍କ ସହ ଦୁଇ ପୁଲିସ ଏବଂ ସିଆରପିଏଫ ଯବାନ ଉପସ୍ଥିତ ରହନ୍ତି। ଆସନ୍ତା ନିର୍ବାଚନରେ ନୂଆ ଭିଭିପିଏଟି ସଂଯୋଗ ଥିବା ଇଭିଏମ୍ ବ୍ୟବହାର ହେବାକୁ ଯାଉଥିବାରୁ ଏଥିଲାଗି ଭରତଙ୍କୁ ନିର୍ବାଚନ କର୍ମଚାରୀ ନୂଆ ମେସିନର ଡେମୋ ଦେଖାଇଛନ୍ତି।

ପ୍ରତିଥର ମତଦାନ କେନ୍ଦ୍ର କର୍ମଚାରୀମାନେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗିର୍ ଜଙ୍ଗଲ ବିଭାଗର କ୍ୱାର୍ଟରରେ ପହଞ୍ଚି ସମସ୍ତ ପ୍ରସ୍ତୁତି କରନ୍ତି। ପରଦିନ ସକାଳେ କ୍ୱାର୍ଟରଟି ଦାସଙ୍କ ପାଇଁ ଏକ ମତଦାନ କେନ୍ଦ୍ରରେ ପରିଣତ ହୋଇଯାଏ। ଅନ୍ୟ ବୁଥ ପରି ଏହି ବୁଥ ମଧ୍ୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରୁହେ ।