ଗୁଜରାଟ ବିଧାନସଭା ନିର୍ବାଚନ: ଜଣେ ଭୋଟରଙ୍କ ପାଇଁ ପୋଲିଂ ବୁଥ ଖୋଲିବେ କମିଶନର

17

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ବିଗୁଲ ବାଜିବା ଦିନ ଠାରୁ ଚର୍ଚ୍ଚାରେ ରହିଛି ଏହି ନିର୍ବାଚନ । କେତେବେଳେ ଆପୋର ପ୍ରତ୍ୟାରୋପକୁ ନେଇ ତ କେତେବେଳ ରାଜନୈତିକ ପ୍ରସଙ୍ଗକୁ ନେଇ । ଏବେ ପୁଣି ଚର୍ଚ୍ଚାରେ ରହିଛି ଗୁଜରାଟ ବିଧାନସଭା ନିର୍ବାଚନ । ତେବେ କୌଣସି ପ୍ରକାର ବଦନାମ ନ ମୁଣ୍ଡାଇବା ପାଇଁ ନିର୍ବାଚନ କମିଶନର ନିରପେକ୍ଷ ଓ ଅବାଧ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଯେପରି ଭୋଟ ଦେବାରୁ କେହି ବିରତ ନହେବେ ସେଥିପାଇଁ ନୂଆନୂଆ ପଦକ୍ଷେପ ନେଉଛନ୍ତି ସରକାର ।

ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳର ମଧ୍ୟରେ ଏଥର କଡ଼ା ଟକ୍କର ଚାଲିଛି। ଖାସ କରି ମହିଳା ଓ ଦିବ୍ୟାଙ୍ଗମାନେ ଯେପରି ଭୋଟ ଦେବା ବେଳେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଗୁଜୁରାଟ ନିର୍ବାଚନ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଯେପରି କୌଣସି ଭୋଟର ମଧ୍ୟ ପୋଲିଂ ବୁଥ ଦୂରତା ଯୋଗୁଁ ଭୋଟ ଦାନରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ମଧ୍ୟ ନିର୍ବାଚନ କମିସନ ପ୍ରସ୍ତୁତି ଚଳାଇଛନ୍ତି।

ଏହି ପ୍ରସ୍ତୁତି କ୍ରମରେ ଏକ ଗ୍ରାମର ଜଣେ ମାତ୍ର ଭୋଟରଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଲିଂ ବୁଥ କରାଯାଉଛି। ଜଣେ ଭୋଟର ଯେପରି ସୁରୁଖୁରୁରେ ଭୋଟ ଦେଇ ନିଜ ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ ସେଥିପାଇଁ ୫ ଜଣିଆ ପୋଲିଂ ଅଫିସରଙ୍କୁ ନେଇ ପୋଲିଂ ବୁଥ ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୁକ୍ତ।ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟ ଜିଲ୍ଲା ସେମନାଥ ଜିଲ୍ଲାର ବାନେଜ ଗାଁ। ପ୍ରସିଦ୍ଧି ଗୀର ଅଭୟାରଣ୍ୟ ମଧ୍ୟରେ ରହିଛି ଏହି ବାନେଜ ଗ୍ରାମ।

ଏହି ଗ୍ରାମର ଏକମାତ୍ର ଭୋଟର ହେଉଛନ୍ତି ଜଙ୍ଗଲ ଭିତରେ ଥିବା ବନେଶ୍ୱର ମହାଦେବ ମନ୍ଦିରର ପୂଜକ ମହନ୍ତ ଭାରତ ଦାସ ଗୁରୁ ଦର୍ଶନ। ମହନ୍ତଙ୍କ ପାଇଁ ୨୦୦୨ ମସିହରେ ପ୍ରଥମ ଥର ପାଇଁ ଏକ ପୋଲିଂ ବୁଥ ଖୋଲାଯାଇଥିଲା। ଏଥର ମଧ୍ୟ ସେଠାରେ ଏକ ପୋଲିଂ ବୁଥ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।